ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୦୫) : ମହିଳାଙ୍କୁ କରୁଥିଲେ ଏକ ତରଫା ପ୍ରେମ। ହେଲେ ବିରୋଧ କରୁଥିଲେ ମହିଳାଙ୍କ ସାନ ଭଉଣୀ ।
ପ୍ରେମିକାଙ୍କ ସାନ ଭଉଣୀ ଉପରେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ । ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଘଟିଥିଲା ଏପରି ଭୟଙ୍କର ଘଟଣା । ଏ ନେଇ ଅଭିଯୋଗ ହେବା ପରେ ଆଜି କମିଶନରେଟ୍ ପୁଲିସ୍ ପ୍ରେମିକ ପ୍ରବରଙ୍କୁ ଗିରଫ କରିବା ସହିତ ପୂରା ଘଟଣା ଉପରୁ ହଟାଇଛି ପର୍ଦ୍ଦା । ଭୁବନେଶ୍ୱର ପଟିଆ ରେଲୱେ ଷ୍ଟେସନ ଅଞ୍ଚଳରେ ରୁହନ୍ତି ଅକ୍ଷୟ ବେହେରା । ସେ ରେଶମା (ଛଦ୍ମନାମ) ଙ୍କୁ ଏକ ତରଫା ପ୍ରେମ କରୁଥିଲେ । ରେଶମା ବିବାହ କରିଥିବା ସତ୍ତ୍ୱେ ଅକ୍ଷୟ ଜବରଦସ୍ତି ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ବିରୋଧ କରୁଥିଲେ ରେଶମାଙ୍କ ସାନ ଭଉଣୀ । ଯେଉଁଥିପାଇଁ ଅକ୍ଷୟ ଓ ରେଶମାଙ୍କ ସାନ ଭଉଣୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା । ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ।
ଶନିବାର ସନ୍ଧ୍ୟା ବେଳେ ରେଶମାଙ୍କ ସାନ ଭଉଣୀ ସ୍କୁଟିରେ ପଟିଆ ସ୍ଥିତ ନିଜ ଅଫିସରୁ ବାହାରି ଘରକୁ ଯାଉଥିଲେ । ତେବେ ପଟିଆ-ସିପିଇଟି ରାସ୍ତାରେ ତାଙ୍କ ସ୍କୁଟିକୁ ପଛ ପାର୍ଶ୍ୱରୁ ଅକ୍ଷୟ ନିଜ ପିକ୍ଅପ୍ ଭ୍ୟାନ ସହାୟତାରେ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ରେଶମାଙ୍କ ସାନ ଭଉଣୀ ତଳେ ପଡ଼ି ଯାଇ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖି ଅଭିଯୁକ୍ତଙ୍କ ଗାଡ଼ିକୁ ପିଛା କରି ଅଟକାଇଥିଲେ । ଏଥିସହ ପୀଡ଼ିତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପୀଡିତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ପୀଡ଼ିତା ଦୁର୍ଘଟଣା ନେଇ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । କମିଶନରେଟ୍ ପୁଲିସ୍ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ଶତ୍ରୁତା ଓ ଏକତରଫା ପ୍ରେମରୁ ଏହି ଦୁର୍ଘଟଣା ଘଟା ଯାଇଥିବା ପୁଲିସ୍ କହିଛି ।