ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୦୫) : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା’ପରେ ଉତ୍ତର-ପୂର୍ବ ଦିଗକୁ ଗତି କରିବ । ୨୫ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ସିଧା ସଳଖ ରହିବ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପ୍ରଭାବରେ ୨୬ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କାଁ ଭାଁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୭ ତାରିଖରେ କିଛି କିଛି ସ୍ଥାନରେ ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାଲେଶ୍ୱର ଓ ମୟୂରଭଞ୍ଜରେ ଏହାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।