ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୮/୦୮) : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ୱାଦା ଗାଁରେ ଆଜି ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନେ ହେଉଛନ୍ତି ଗୋଟିଏ ପରିବାରର ।
ମୃତକଙ୍କ ନାଁ ହରିଶ ମଳିକ । ଗୁରୁତର ଆହତମାନେ ହେଉଛନ୍ତି ସୁଭଦ୍ରା ମଳିକ, ମତାଜୀ ମଳିକ, ଭାଗ୍ୟଲକ୍ଷ୍ମୀ ମଳିକ ଓ ଜ୍ୟୋତିପ୍ରିୟା ମଳିକ । ଏହି ୪ ଜଣ ମହିଳାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଏମାନେ ବିଲକୁ କାମ କରିବାକୁ ଯାଇଥିଲେ । ବର୍ଷା ସହିତ ଘଡ଼ଘଡ଼ି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ।
ତେବେ ସେଠାରେ ହରିଶ ମଳିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି । ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିଲେ ।