ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫ /୦୧) : ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲିଛି । କେତେବେଳେ ମନ୍ଦିରରୁ ଚୋରି ତ କେତେବେଳେ ବିଚ୍ ବଜାରରେ ଲୁଟ୍ ହେଉଛି ।
ତେବେ ଗତ କାଲି ମଙ୍ଗଳବାର ସନ୍ଧ୍ୟାର ଘଟଣା ସାରା ଜିଲ୍ଲାରେ ଭୟର ବାତାବରଣ ଖେଳାଇ ଦେଇଛି । ମହାନଦୀର ଆରପାଖ ଧର୍ମଶାଳା ଛକରେ ଜନସେବା କେନ୍ଦ୍ର ଖୋଲିଥିବା ଲେହେଡି ନିବାସୀ ନୀଳାମ୍ବର ମହାପାତ୍ରଙ୍କ ଠାରୁ ବନ୍ଧୁକ ମୂନରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି । ସବୁଦିନ ଭଳି ସନ୍ଧ୍ୟା ସାଢେ ୬ଟାରେ ଜନସେବା କେନ୍ଦ୍ର ବନ୍ଦ କରି ଲେହେଡି ସ୍ଥିତ ନିଜ ଘରକୁ ନୀଳାମ୍ବର ଫେରୁଥିଲେ । ଏକ ଲାଲ ରଙ୍ଗର ରେସିଂ ବାଇକ୍ରେ ତିନି ଜଣ ଲୁଟେରା ଆସି ଅଧାବାଟରେ ଅତର୍କିତ ଭାବେ ଦୁର୍ବୁତ୍ତ ମାନେ ନୀଳାମ୍ବରଙ୍କୁ ଆକ୍ରମଣ କରିଥିଲେ । ନୀଳାମ୍ବର ଧରିଥିବା ଟଙ୍କା ବ୍ୟାଗକୁ ଜୋର ଜବରଦସ୍ତି ଛଡାଇବା ପାଇଁ ସେମାନେ ଉଦ୍ୟମ କରିଥିଲେ । ହେଲେ ସେ ଏହାର ପ୍ରତିରୋଧ କରିବାରୁ ଲୁଟେରା ମାନେ ବାରମ୍ବାର ନୀଳାମ୍ବରଙ୍କ ମୁଣ୍ଡକୁ ପିସ୍ତଲର ପଛପଟେ ଆକ୍ରମଣ କରିଥିଲେ ।
ନୀଳାମ୍ବର ଗୁରୁତର ଅବସ୍ଥା ରେ ସେଠାରେ ପଡି ଯିବାରୁ ଲୁଟେରା ମାନେ ଟଙ୍କା ବ୍ୟାଗ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ନୀଳାମ୍ବରଙ୍କୁ ଘଟଣାସ୍ଥଳରୁ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ମୁଣ୍ଡରେ ୧୫ ରୁ ଉର୍ଦ୍ଧ୍ବ ଷ୍ଟିଚ୍ ପଡିଛି । ଏହା ଏକ ବ୍ୟାଙ୍କର ଜନସେବା କେନ୍ଦ୍ର ହୋଇଥିବାରୁ ଲୋକେ ଜମା ଦେଇଥିବା ଦେଢ ଲକ୍ଷ ଟଙ୍କା ବ୍ୟାଗରେ ଥିଲା ବୋଲି ନୀଳାମ୍ବର କହିଛନ୍ତି । ଅଭିଯୋଗ ପାଇ ହିକୁଡି ଫାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ଓ ମେଡିକାଲ୍ ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଜବତ ହୋଇଛି ।
ଯାହାକି ନାଇନ୍ ଏମ ଏମ ର ଗୁଳି ବୋଲି ଅନୁମାନ କରାଯାଉଛି ଏବଂ ଏମାନେ ପ୍ରଫେସନାଲ ଲୁଟେରା ବୋଲି ପୁଲିସ ଅନୁମାନ କରୁଛି l ନୀଳାମ୍ବର ବରିଷ୍ଠ ତଥା ଆଗ ଧାଡି ର ସାମ୍ବାଦିକ ପୀତାମ୍ବର ମହାପାତ୍ରଙ୍କ ସାନଭାଇ ହୋଇଥିବାରୁ ଡାକ୍ତରଖାନାରେ ବହୁ ସାମ୍ବାଦିକ ଠୁଳ ହୋଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲା ପୁଲିସ କୁ ଦାବି କରିଛନ୍ତି । ପ୍ରକାଶ ଥାଉ କି ଯେ ଦୀର୍ଘ ବର୍ଷ ପୂର୍ବରୁ ଧର୍ମଶାଳା ଷ୍ଟେଟ ବ୍ୟାଙ୍କ ରୁ ମଧ୍ୟ ଏକ ବଡ ଧରଣ ର ଡକାୟତି ହୋଇଥିବା ଓ ଏଥିରେ ସମ୍ବଲପୁର ଓ ବିହାର ଅଞ୍ଚଳ ର ଲୁଟେରା ସାମିଲ୍ ଥିଲେ ବୋଲି ଜଣା ପଡିଥିଲା ।
ଘଟଣା ର ସୂଚନା ପାଇ ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା ରାତିରେ ଆହତ ଙ୍କ ଘରକୁ ପହଂଚି ଶ୍ରୀ ମହାପାତ୍ର ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝି ଥିବା ଜଣା ପଡ଼ିଛି l ଆଜି ସକାଳେ ସୁବର୍ଣ୍ଣପୁର ଏସପି ରାମ ପ୍ରାସାଦ ସାହୁ ମଧ୍ୟ ଆହତ ଙ୍କୁ ସାକ୍ଷାତ କରିବା ପରେ ବି ଏମ ପୁର ଓ ଧର୍ମଶାଳା ପୁଲିସ ସହିତ ଏସପି ନିଜେ ଘଟଣା ସ୍ଥଳ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କିନ୍ତୁ ଏ ସମ୍ବେଦନଶୀଳ ଘଟଣା ର ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଜିଲ୍ଲା ପୁଲିସ ଏବେ ଯାଏଁ ଅପରାଧୀ ମାନଙ୍କୁ ଗିରଫ କରିବାରେ ସଫଳ ହୋଇ ନ ଥିବା ଜଣା ପଡ଼ିଛି l