ସୁବର୍ଣ୍ଣପୁର, (୨୯/୦୬) : ଆ.ପ୍ର : ସୋନପୁର ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ଚତୁ୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଆଜି ବରାହ ଓ ନୃସିଂହ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ ମହାପୁଣ୍ୟ ଓ ଫଳ ପ୍ରାପ୍ତି ଅଟେ ।
ସନାତନ ଧର୍ମର ମାନ୍ୟତା ଅନୁଯାୟୀ ଯେତେବେଳେ ପୃଥିବୀ ପୃଷ୍ଠରେ ଅନ୍ୟାୟ ଅତ୍ୟାଚାରର ମାତ୍ରା ବଢିଯିବାର ଦେଖାଯାଇଥାଏ ସେତେବେଳେ ଭଗବାନ ବିଷ୍ଣୁ ସେହି ଅନ୍ୟାନ୍ୟ ଅତ୍ୟାଚାର କବଳରୁ ରକ୍ଷା କରିବା ପାଇଁ ଅବତାର ଧାରଣ କରି ପୃଥିବୀ ପୃଷ୍ଠକୁ ଆସିଥିବା ପୌରାଣିକ ତଥ୍ୟାବଳୀରୁ ଜଣାଯାଏ । ପ୍ରତୀକାତ୍ମକ ସ୍ୱରୂପ ଏହି ଘୋଷ ଯାତ୍ରା ସମୟରେ ଭଗବାନ ବିଷ୍ଣୁଙ୍କ ସେହି ମାନବୀୟ ଲୀଳା ଗୁଣ୍ଡିଚା ଆଡ଼ପ ମଣ୍ଡପରେ ଦେଖିବାକୁ ମିଳିଥାଏ । ବଡ଼ବଜାର ‘ଗୁଣ୍ଡିଚା ରଥଯାତ୍ରା ସାଂସ୍କୃତିକ କମିଟି’ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଠାରେ ପ୍ରତ୍ୟହ ସନ୍ଧ୍ୟା ସମୟରେ ରାତି ପର୍ଯ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଭଜନ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ସଙ୍ଗୀତ ନିରଝର୍ କଳା ପରିଷଦ, କେନ୍ଦ୍ରାପଡ଼ା ପକ୍ଷରୁ ଭଜନ କାର୍ଯ୍ଯକ୍ରମରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ସହିତ ଭଜନ କାର୍ଯ୍ୟକ୍ରମର ମଜା ନେଇଥିଲେ ।
ଆଜି ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ରୂପେ ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ସେହିପରି ଆଜି ବୃନ୍ଦାବନ ମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ ବରାହ ଅବତାର ରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡା ଠାରେ ବରାହ ଓ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡାରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ ଲାଭ କରୁଛନ୍ତି l ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବା ଜଣାଯାଇଛି l