ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୨୧/୧୨) : ଫସଲ ଅମଳ ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କେଉଁଠି ଜମିରେ ପଡିଥିବା କଟାଧାନ ବର୍ଷାରେ ଭିଜୁଛି ତ ଆଉ କେଉଁଠି ଖଳାରେ ଧାନ ଗଦାସବୁ ଓଦାହୋଇ ସଢିବାକୁ ବସିଲାଣି ।
ଅମଳକୁ ନେଇ ଚାଷୀ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି । କପା ଚାଷ ମଧ୍ୟ ବର୍ଷାରେ ପ୍ରଭାବିତ ହୋଇଛି । ଶୁକ୍ରବାର ସକାଳୁ ଏଠାରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ତହସିଲ ଅଧୀନ ଧାନ ଓ କପାଚାଷୀ ଏଥିରେ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ, ଗତ ୧୭ରୁ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ଧାନ କିଣିବାକୁ ସରକାରୀସ୍ତରରେ ଗୁରୁତ୍ବ ଦିଆଯାଉ ନଥିବା ଜଣାପଡିଛି। ମଣ୍ଡିରେ ଧାନ ସୁରକ୍ଷିତଭାବେ ଗଚ୍ଛିତ କରି ରଖିବାକୁ ସେପରି ସୁବିଧା ହୋଇ ନଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ବ୍ଲକରେ କେହି ଜଣେ ମିଲର୍ ସରକାରଙ୍କ ସହ ଚୁକ୍ତି କରି ନଥିବା ମଧ୍ୟ ଜଣାପଡିଛି ।
ଏପରିସ୍ଥିତିରେ ଚାଷୀ ହରଡ଼ଘଣାରେ ପଡିଛି ବିଲରୁ ଧାନ ଅମଳ କରି ଘରକୁ ଆଣିପାରୁନି କି ବର୍ଷାରୁ ରକ୍ଷା କରିପାରୁନି ଭାଗ୍ୟକୁ ଆଦରି ଅନେକ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ବିଭିନ୍ନ ସ୍ଥାନରେ ହେକ୍ଟର ହେକ୍ଟର ଜମିରେ ଧାନ ପଡି ରହିଥିବା ବେଳେ ଗଛରେ କପା ମଧ୍ୟ ରହିଛି । ବର୍ଷାଯୋଗୁ କ୍ଷତି ସହିବା ଚାଷୀ ନିଶ୍ଚିତ ହୋଇସାରିଛନ୍ତି । ଏଫଏକ୍ୟୁ ଧାନ ମଣ୍ଡିକୁ ଆଣିବାକୁ ପ୍ରଶାସନ କହୁଥିବା ବେଳେ ବର୍ଷାରେ ଭିଜା ଧାନକୁ କିପରି ଚାଷୀ ଏଫଏକ୍ୟୁ ମାନର କରିବେ ସେ ନେଇ ଅଡୁଆରେ ପଡିଛନ୍ତି । ବର୍ଷା ଜାରି ରହିଥିବା ବେଳେ କମିବା ବେଳକୁ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବ ବୋଲି କେତେଜଣ ଚାଷୀ କହିଛନ୍ତି ।
ବର୍ଷା ଛାଡିବା ଏବଂ ଖରାକୁ ଅପେକ୍ଷା କରିବା ବ୍ୟତୀତ ଚାଷୀଙ୍କ ପାଖରେ ଆଉ କିଛି ଉପାୟ ନାହିଁ। ବର୍ଷାକୁ ଦୃଷ୍ଟିରେ ରଖି ସରକାର ଏଫଏକ୍ୟୁ ମାନରେ କୋହଳ କରିବେ ନା ନିୟମ କଡାକଡି ପାଳନ କରବେ ସେ ନେଇ ଚାଷୀ ଦ୍ବନ୍ଦ୍ବରେ ଅଛନ୍ତି । ତହସିଲ ଅଧୀନରେ ଚଳିତ ବର୍ଷ ୫ହଜାର ହେକ୍ଟର ଜମିରେ ଧାନ ଏବଂ ୫ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି। ଆଉ ୭ଦିନ ଏପରି ପାଗ ଏବଂ ବର୍ଷା ଲାଗି ରହିଲେ ଧାନ ଏବଂ କପା ବ୍ୟାପକ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଥିବା କହିଛନ୍ତି କୃଷି ଅଧିକାରୀ ଘନଶ୍ୟାମ ହାଇବୁ । ବ୍ଲକରେ ତିନୋଟି ମଣ୍ଡି ଶୁଭାରମ୍ଭ ହୋଇଛି| ୨୫୦ ଚାଷୀଙ୍କ ପାଖକୁ ଟୋକନ ଆସିଯାଇଛି। କୌଣସି ଚାଷୀଙ୍କ ଧାନ କିଣାଯାଇ ନଥିବା ଲ୍ୟାମ୍ସ ଏମ.ଡି ଶାନ୍ତନୁ ସାହୁ କହିଛନ୍ତି ।