ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାଟଣା, (୩୧/୧୨) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ପାଟଣା ପୁଲିସ ଓ ବନ ବିଭାଗର ମିଳିତ ଚଢାଉ ସମୟରେ ଓସ୍ତଯୋଡି ଗ୍ରାମରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଛି ।
ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ବସନ୍ତପୁର ଗ୍ରାମର ଦିବାକର ବାନ୍ଦିଆଙ୍କ ପୁଅ ରାମ ବାନ୍ଦିଆ(୩୩) ଓ ବାଘ ଛାଲ କିଣିବାକୁ ଡିଲ୍ ଚଳାଇଥିବା ଠାକୁରମୁଣ୍ଡା ଥାନା ଖଡିପାଳ ଗ୍ରାମର ରାଜେନ୍ଦ୍ର କୁଲାପଡ଼ିଆଙ୍କ ପୁଅ ସାଗର କୁଲାପଡ଼ିଆ (୩୭)ଙ୍କୁ ଡିଲ୍ ସ୍ଥାନରୁ ପାଟଣା ପୁଲିସ ଓ ପାଟଣା ବନ ବିଭାଗ ମାଡି ବସିଛନ୍ତି। ଉଭୟଙ୍କଠାରୁ ଏକ କଲରାପତରିଆ ବାଘଛାଲ ସହ ବ୍ୟବହାର କରୁଥିବା ଏକ ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ପାଟଣା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଖବରରୁ ପ୍ରକାଶ ଯେ, ସୋମବାର ପୂର୍ବାହ୍ନରେ କେନ୍ଦୁଝର ଏସପି ଓ ଡିଏଫ୍ଓଙ୍କଠାରୁ ସୂଚନା ପାଇ ପାଟଣା ଥାନା ସବ୍ ଇନ୍ସପେକ୍ଟର ଉଦୟବିର କୁଲୁ ଓ ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାରଙ୍କ ନେତୃତ୍ୱରେ ପୁଲିସ ଓ ବନ ବିଭାଗ କର୍ମଚାରୀ ମାଛଗଡ଼ ବିଟ୍ ଅଧୀନ ଓସ୍ତଯୋଡି ଗ୍ରାମରେ ଚଢ଼ାଉ କରିଥିବଲେ ।
ଏହି ସମୟରେ କଲରାପତରିଆ ବାଘ ଛାଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିଯିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ପାଟଣା ଥାନାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଭାତ ତ୍ରିପାଠୀ, ଜିଲା ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା ଓ ଅଶୋକ କୁମାର ଦାସ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।