ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୦୨/୧୨) : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ ହେବା ସହିତ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି ।
ଗିରଫ ହୋଇଥିବା ଯୁବକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ଏବଂ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜି.ଉଦୟଗିରି ରେଞ୍ଜ ଅଧିକାରୀ କାଜଲ ନାୟକଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କଳିଙ୍ଗା ବାବୁଛକ ଠାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖି ତାଙ୍କୁ ପଚରାଉଚରା କରିଥିଲେ । ଯାଞ୍ଚ ବେଳେ ତାଙ୍କ ପାଖରେ ଥିବା ବ୍ୟାଗରୁ ଏକ କଲରାପତରିଆ ଛାଲ ମିଳିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ବୋଲି ଜଣାପଡିଛି ।
ଭବାନୀଙ୍କୁ ଜେରା କରି ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ପ୍ରମୋଦଙ୍କ ଘରୁ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ମାନଙ୍କଠାରୁ ଏକ ମୋବାଇଲ ଏବଂ ଛୁରୀ ଜବତ ହୋଇଛି । ଜବତ ଛାଲଟି ଏକ ବୟସ୍କ କଲରାପତରିଆର ଏବଂ ପ୍ରାୟ ଦେଢ ମାସ ତଳେ ଶୀକାର କରାଯାଇଥିବା ନେଉ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ।
କଲରାପତରିଆର ଦୈର୍ଘ୍ୟ ୧୪୫ ସେଣ୍ଟିମିଟର ରହିଥିବା ବେଳେ ଲାଞ୍ଜର ଲମ୍ବ ୯୪ ସେଣ୍ଟିମିଟର ରହିଛି। ଏହାର ପରୀକ୍ଷଣ ପାଇଁ କୋଲକାତା ଜେଡଏସଆଇକୁ ପଠାଯାଇଛି । ତେବେ ଏହି ବାଘ ଶୀକାରରେ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଏବଂ ଏନେଇ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ଡିଏଫଓ । ବନଖଣ୍ଡ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ଏସିଏଫ ମଳୟ ରଞ୍ଜନ କାଲୋ ଉପସ୍ଥିତ ଥିଲେ ।