ମୁନିଗୁଡ଼ା, (୧୯/୪) : ଆପ୍ର. : ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ଦଳ ତରଫରୁ ସକ୍ରିୟ ସଦସ୍ୟ ସମ୍ମିଳନୀ ଆଜି ପୂର୍ବାହ୍ନରେ ମୁନିଗୁଡ଼ାସ୍ଥ ସୁଭଦ୍ରା – ଉଦ୍ଧବ ଶୌଣ୍ଡିକ ମଙ୍ଗଳ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ସଭାପତିତ୍ବ ଓ ପୂର୍ବତନ ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଜେପି କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ,ମୁଖ୍ୟବକ୍ତା ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଜିଲ୍ଲା ସଂଯୋଜିକା କେ.ଅଶ୍ଵିନୀ ଦେବୀ, ବିଧାନସଭା କ୍ଷେତ୍ର ସଂଯୋଜକ ବାଦଲ କୁମାର ରଣା ପ୍ରମୁଖ ଉପସ୍ଥିତ ରହି ପ୍ରେରଣାଦାୟୀ ଭାରତ ମାତା,ବିଜେପି ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜ ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପରେ ରାଷ୍ଟ୍ର ଗାନ ବନ୍ଦେ ମାତରଂ ସଙ୍ଗୀତ ଗାନ କରାଯାଇଥିଲା ।
ସ୍ବାଗତ ଭାଷଣ ଓ ଅତିଥି ପରିଚୟ ବାଦଲ କୁମାର ରଣା ପ୍ରଦାନ କରିଥିଲେ।ମଞ୍ଚର ସଭାପତି ଶ୍ରୀଯୁକ୍ତ ନୁଣ୍ଡ୍ରୁକା ସଭାପତିତ୍ବ ଅଭିଭାଷଣରେ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସହିତ ସକ୍ରିୟ ସଦସ୍ୟ ମାନଙ୍କ ନିଜ ନିଜ ଅଞ୍ଚଳରେ ଗୁରୁ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ବେହେରା ବିଜେପିର ସାଂଗଠାନିକ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରୁ ଆରମ୍ଭ ହୋଇ ଜାତୀୟ ସ୍ତର ପର୍ଯ୍ୟନ୍ତ ଅବିରାମ ଗତିରେ ଚାଲିଥାଏ।ତୃଣମୂଳ ସ୍ତରରେ ସଂଗଠନ ସକ୍ରିୟ ରହିଲେ ବିଜେପିର ଲକ୍ଷ,ସଂକଳ୍ପ ସୁଦୂର ପ୍ରସାରୀ ହେବ।ଯଶଶ୍ଵି ପ୍ରଧାନମନ୍ତ୍ରୀଙ୍କ ୧୧ବର୍ଷ ଶାସନରେ ଐତିହାସିକ ବିକାଶ ହେବାସହ ଏକ ବିକଶିତ ଅର୍ଥ ବ୍ୟବସ୍ଥା,ସୁଦୃଢ଼ ବୈଦେଶିକ ନୀତିର ଅଭ୍ୟୁଦୟ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ସବକା ସାଥ,ସବକା ବିକାଶ,ସବକା ପ୍ରୟାଶ ଆଜି ସମଗ୍ର ରାଷ୍ଟ୍ରର ପ୍ରଗତିରେ ମୂଳମନ୍ତ୍ର ସାଜିଛି।ପ୍ରତ୍ୟେକ ସକ୍ରିୟ ସଦସ୍ୟଙ୍କୁ ଆଜି ସୁଯୋଗ ମିଳିଛି ସାଧାରଣ ଲୋକଙ୍କ ସେବା କରିବା ପାଇଁ।ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ଗୁଡ଼ିକୁ ପ୍ରତି ଗରିବ ମଣିଷ ମାନଙ୍କ ପାଖରେ ପହଞ୍ଚାଇ ପାରିଲେ ଆମ ପାଇଁ ତାହା ଶ୍ରେଷ୍ଟ ରାଷ୍ଟ୍ରଧର୍ମ ହୋଇ ପାରିବ ବୋଲି ଶ୍ରୀଯୁକ୍ତ ବେହେରା କହିଥିଲେ।
ମୁଖ୍ୟ ଅତିଥି ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ମାଝୀ ପ୍ରତି ବୁଥରେ ସକ୍ରିୟ ସଦସ୍ୟ ମାନଙ୍କ ସକ୍ରୀୟତା ଆମକୁ କଥାରେ ନୁହେଁ କାର୍ଯ୍ୟରେ ପ୍ରତିପାଦିତ କରିବାକୁ ପଡ଼ିବ।ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ଆମକୁ ପ୍ରମାଣିତ କରିବାକୁ ହେବ ବିଷମକଟକ ବିଧାନ ସଭା କ୍ଷେତ୍ର ସଂଗଠାନାତ୍ମକ ଦୃଷ୍ଟିରୁ ଅନ୍ୟ କ୍ଷେତ୍ର ଅପେକ୍ଷା ବେଶ ସକ୍ରିୟ ଆଉ ସୁଦୃଢ।ସେହିପରି ଅନ୍ୟ ବକ୍ତାମାନେ ମଧ୍ୟ ସଂଗଠନକୁ ନେଇ ଦଳୀୟ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା କ୍ଷେତ୍ରର ସମସ୍ତ ମଣ୍ଡଳ ସଭାପତି ସୁବାସ ଗୌଡ଼,ଅନନ୍ତ ମାଲଦୋରା, ସୋମନାଥ ହିମିରିକା, ଅଜିତ ପାଣିଗ୍ରାହୀ, ସଞ୍ଜୁ ତିଆକା, ଜଗନ୍ନାଥ ପାଢ଼ୀ, ମନମୋହନ ମହାନ୍ତି, ରୋହିତ ଦଣ୍ଡସେନା, ଦୁର୍ଯ୍ୟଧନ ପାଳ,ଭିକାରୀ ନାହାକ,ରବୀନ୍ଦ୍ର ବିଶ୍ୱାଳ, ବେଣୁଧର ଗାଡ଼େକା, ଜଗା ଶବର,ମୀନ ଗୌଡ଼, ଭୀମ ବେହେରା, ପଦ୍ମ ବେହେରା, ସୁଶୀଳା ସରାଫ,ସୁନାକର କୁଶୁଲିଆ, ଟୁନା କରକରିଆ,ଗରିବ ଗରଡ଼ିଆ ପ୍ରମୁଖ ଉପସ୍ଥିତ ରହି ଶତାଧିକ ସକ୍ରିୟ ସଦସ୍ୟ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଅମ୍ବାଦଳା ମଣ୍ଡଳ ସଭାପତି ଅନନ୍ତ ମାଲଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ ।