ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୫/୦୫) : ଅବକାରୀ ବିଭାଗର ଗୁଇନ୍ଦା ଟିମ୍ ଦ୍ଵାରା ଶୁକ୍ରବାର ପୁରୁଣା ଡୁମୁରିପୁଟ, ମୋହନପଡ଼ା, ଘାଟଗୁଡ଼ା, ପଣସପୁଟ,ବନ୍ଧଗୁଡ଼ା, ନୂଆ କଲୋନୀ ଅଞ୍ଚଳରେ ଚଢଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ କରା ଯାଇଥିବା ବେଳେ ଦୁଇ ଜଣ ମହିଳାଙ୍କୁ ଗିରଫ କରାଯାଇଛି ।
କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ଜଣା ପଡ଼ିବା ପରେ ଅବକାରୀ କମିଶନର ନରସିଂହ ଭୋଳ ଓ ଡେପୁଟି କମିସନର ଡମ୍ବରୁଧର ଖଣ୍ଡା ଚଢଉ ପାଇଁ ଅବକାରୀ ବିଭାଗର ଗୁଇନ୍ଦା ଟିମକୁ ନିର୍ଦେଶ ଦେଇଥିଲେ । ନିର୍ଦେଶ ମୁତାବକ ଜୟପୁର ସ୍ଥିତ ଅବକାରୀ ଥାନା ଓ ଆଇଆଇସି ରଶ୍ମିରଞ୍ଜନ ନାୟକଙ୍କ ନେତୃତ୍ବରେ ଏକ ଟିମ ଶୁକ୍ରବାର ପୂର୍ବାହ୍ନରେ ଉପରୋକ୍ତ ଗ୍ରାମ ଗୁଡିକରେ ଚଢଉ କରିଥିଲେ । ଚଢଉ ବେଳେ ମୋହନପଡ଼ାର ଏକ ଭଙ୍ଗା ପାଇଖାନା ଘରୁ ୨୦୦୦ ଲିଟର ପୋଚ ଏବଂ ୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ ।
ସେହିପରି ଡୁମୁରିପୁଟରେ ଚଢଉ କରି ପ୍ରତିମା ଖିଲ ଓ ଡମୁଣୀ ହନ୍ତାଳ ନାମ୍ନୀ ଦୁଇଜଣ ମହିଳାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମଧ୍ୟ ବହୁ ପରିମାଣର ମଦ ଜବତ କରିଥିଲେ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ତେବେ ବେଆଇନ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୀ ବିରୁଦ୍ଧରେ ଆଗାମୀ ଦିନରେ ମଧ୍ୟ ଚଢଉ ଜାରୀ ରହିବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।