କଳାହାଣ୍ଡି, (୨୧/୦୩) : ଆ.ପ୍ର. : ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚିଲିଗୁଡ଼ାଠାର ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡ଼ି ।
ଫଳରେ ଦୁର୍ଘଟଣାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗୁରୁତର ଲୋକଙ୍କୁ ଉଦ୍ଧାର କରି ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବରଯାତ୍ରୀ ଗାଡ଼ି କଳାହାଣ୍ଡିରୁ ଲୋକଙ୍କୁ ନେଇ ଛତିଶଗଡ଼କୁ ଯାଇଥିଲା । ରାତିରେ ବିବାହ ଶେଷ ହେବା ପରେ ସମସ୍ତେ କଳାହାଣ୍ଡି ଜିଲ୍ଲାକୁ ଫେରୁଥିଲେ । ହେଲେ ବାଟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ଗାଡ଼ିରେ ସମୁଦାୟ ୭ ଜଣ ରହିଥିବା ବେଳେ ଡ୍ରାଇଭର ଭଜନ କରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ବରଯାତ୍ରୀ ଗାଡ଼ି ଦୁର୍ଘଟଣା ପରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି ।