କଟକ, (୦୩/୦୫) : ଆପ୍ର. : ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା ବାଇକ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।
ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ କଟକ ଜିଲ୍ଲା କେନ୍ଦ୍ରାପଡ଼ା କେନାଲ ରାସ୍ତାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଏବଂ ପିକ୍ଅପ୍ ଭ୍ୟାନ୍କୁ ଜବତ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, କଟକ ଜିଲ୍ଲା ଜଗତପୁର ଥାନା ପାଗା ଫାଣ୍ଡି କେନ୍ଦ୍ରାପଡ଼ା କେନାଲ ଆତୋଡା କନକେଶ୍ୱର ମନ୍ଦିର ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ପିକ୍ଅପ୍ ଭ୍ୟାନ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ। ଏହାପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ।
ହେଲେ ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ଦେଇଥିଲେ। ତେବେ ମୃତ ଯୁବକ କାଠାହାର ଗାଁର ରାଜକିଶୋର ଦାସ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଏବଂ ପିକ୍ଅପ୍ ଭ୍ୟାନ୍କୁ ଜବତ କରି ଛାନ୍ଭିନ୍ ଜାରି ରଖିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।