ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୨/୦୬) : ଭୋଟ୍ ଦେବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ ବୁଥ୍ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ । ମୃତ ମହିଳାଙ୍କ ନାଁ ରଶ୍ମିରେଖା ବେହେରା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ପ୍ରଭାକର ରାଉତ । ୪ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ସେମାନଙ୍କର ୧୮ ମାସର ଏକ ପୁଅ ମଧ୍ୟ ଅଛି । ସୂଚନା ଅନୁଯାୟୀ, ରଶ୍ମିରେଖା ଓ ପ୍ରଭାକରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ସେଥିପାଇଁ ରଶ୍ମିରେଖା ଜିରାଗମ୍ଭୀର ସ୍ଥିତ ତାଙ୍କ ବାପ ଘରେ ଯାଇ ରହୁଥିଲେ ।
ଆଜି ସେ ଭୋଟ୍ ଦେବା ପାଇଁ ତାଙ୍କ ଦାଦାଙ୍କ ସହିତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥକୁ ଆସିଥିଲେ । ସେଠାରେ ବୁଥ୍ ସାମ୍ନାରେ ସ୍ୱାମୀ ପ୍ରଭାକର ରାଉତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ରଶ୍ମିଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।