ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୧/୦୧) : ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା । ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା ।
ଏପରି ଏକ ସାଂଘାତିକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିଂଗମିଲା ଗାଁରେ ଘଟିଛି । ମୃତକ ହେଲେ ୨୨ ବର୍ଷୀୟ ଜୀତେନ୍ଦ୍ର ମଲ୍ଲିକ । ଜୀତେନ୍ଦ୍ରଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ବାପା ପ୍ରାଣେଶ୍ୱର ମଲ୍ଲିକଙ୍କୁ ବାନ୍ଧିଛି ।ଜୀତେନ୍ଦ୍ର ମଲ୍ଲିକ କିଛି କାମଧନ୍ଦା କରୁ ନ ଥିବା ବେଳେ ସବୁବେଳେ ମଦ ନିଶାରେ ଚୁର ରହୁଥିଲେ। ଏହାକୁ ନେଇ ସବୁବେଳେ ପରିବାରରେ ଅଶାନ୍ତି ଲାଗି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ଜୀତେନ୍ଦ୍ର ମଦ ପିଇ ଆସି କବାଟ ବାଡ଼େଇଥିଲେ । କବାଟ ଖୋଲିବାରେ ବିଳମ୍ବ ହେବାରୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ପଛାଇଲେ ନାହିଁ। ପ୍ରାଣେଶ୍ୱର କବାଟ ଖୋଲିବାରୁ ଜୀତେନ୍ଦ୍ର ତାଙ୍କୁ ପ୍ରବଳ ଗାଳିଗୁଲଲ କରିଥିଲେ ।
ଏହା ଅସହ୍ୟ ହେବାରୁ ପ୍ରାଣେଶ୍ୱର ନିଜ ପୁଅ ଦେହରେ ଛୁରୀ ଭୁଷି ଦେଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ପ୍ରାଣେଶ୍ୱରଙ୍କୁ ଗିରଫ କରି ଥାନାକୁ ଆଣିଛି। ଖୁବ୍ ଶୀଘ୍ର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛି ପୁଲିସ୍ ।