କାଶୀନଗର, (୦୧/୦୬) : ଆପ୍ର. : କାଶୀନଗର-ଗୁଣପୁର ମଧ୍ୟସ୍ଥ ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି ।
ବିଶେଷ କରି ଶିଆଳି ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହେଉଥିବା ବେଳେ ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରା ଯାଉ ନଥିବା ନେଇ ଚର୍ଚ୍ଚା ଚାଲିଛି ବିଭିନ୍ନ ମହଲରେ । ଅଳ୍ପ ଦିନ ତଳେ ଉକ୍ତ ସ୍ଥାନ ନିକଟରେ ଦୁଇ ଜଣ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ । ଶନିବାର ବିଳମ୍ବିତ ସନ୍ଧ୍ୟାରେ ପେଟ୍ରୋଲ ପମ୍ପ ନିକଟସ୍ଥ ସ୍ଥାନରେ ପୁଣି ଜଣେ ବାଇକ୍ ଚାଳକଙ୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି . ତେବେ ପ୍ରାପ୍ତ ସୂଚନା ଅନୁଯାୟୀ ଟ୍ରକ୍ ଛାଡି ଫେରାର ହୋଇ ଯାଇଥିବା ଡ୍ରାଇଭରକୁ ଧରିବାରେ ସଫଳ ହୋଇଛି କାଶୀନଗର ପୋଲିସ ।
ପୂର୍ତ୍ତ ବିଭାଗ ଦ୍ୱାରା ଉଲ୍ଲେଖିତ ରାସ୍ତାର ପୁନଃ ନିର୍ମାଣ ବେଳେ ଆବଶ୍ୟକ ସ୍ଥାନରେ ହମ୍ପ୍ସ ନିର୍ମାଣ କରା ନଯିବା , ରାସ୍ତା ପାର୍ଶ୍ଵରେ ସତର୍କ ସୂଚନା ଫଳକ ଲଗା ନଯିବା ଯୋଗୁ ଦ୍ରୁତ ଗାଡିଚାଳନା ଅଧିକାଂଶ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ମତ ପ୍ରକାଶ ପାଇଛି । ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ କାର୍ଯ୍ୟରେ ଅବହେଳା ଏଥିପାଇଁ ଅନେକାଂଶରେ ଦାୟୀ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି । ରାସ୍ତାର ପୁନଃ ନିର୍ମାଣ ବେଳେ ଆଗରୁ ଯେଉଁ ସ୍ଥାନ ମାନଙ୍କରେ ହମ୍ପ୍ସ ଥିଲା ସେହି ସ୍ଥାନ ମାନଙ୍କରେ ପୁଣି ହମ୍ପ୍ସ ନିର୍ମାଣ କରାଗଲା ନାହିଁ କାହିଁକି ପ୍ରଶ୍ନର ଉତ୍ତରରେ ସମ୍ପୃକ୍ତ ଯନ୍ତ୍ରୀ କହିଛନ୍ତି ଯେ , ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରା ଯାଇଛି ।
ଆବଶ୍ୟକ ସ୍ଥାନରେ ଆଗାମୀ ୩୦ ଦିନ ଭିତରେ ହମ୍ପ୍ସ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ତେବେ ତା ପୂର୍ବରୁ ଦୁର୍ଘଟଣା ଘଟି କେହି ମୃତାହତ ହେଲେ ସେଥିପାଇଁ କିଏ ଦାୟୀ ରହିବ ପ୍ରଶ୍ନର ଯନ୍ତ୍ରୀ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି । ଦ୍ରୁତ ଓ ବେପରୁଆ ଗାଡି ଚାଳନା ରୋକିବା ଦିଗରେ ସ୍ଥାନୀୟ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ମତ ପ୍ରକାଶ ପାଇଛି ।