ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୀଳଗିରି, (୧୭/୦୨) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରାଗଉରା ନିକଟରେ ଭାଲୁଟିର ମୃତ୍ୟୁ ହୋଇଛି ।
ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଭାଲୁଟିର ଜୀବନ ଯାଇଥିବା ଜଣାପଡ଼ିଛି।ରାତିରେ ଖାଦ୍ୟ ଅନ୍ୱେଷଣ କରି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ଜଙ୍ଗଲରୁ ଗୋଟିଏ ଭାଲୁ ମିତ୍ରପୁର ବଜାର ଆଡକୁ ପଳାଇ ଆସିଥିଲା । ସେଠାରେ ଥିବା ବରଗଛ ଓହଳରେ ଝୁଲି ମହୁ ମଧ୍ୟ ଖାଇଥିଲା । କିନ୍ତୁ ଭାଲୁର ମହୁ ଲୋଭ ତା ଜୀବନ ନେଇ ଯାଇଛି । ମହୁ ଖାଇ ବରଗଛରୁ ପାଖରେ ଥିବା ଟ୍ରାନ୍ସଫର୍ମର ଖୁଣ୍ଟ ଧରି ଓହ୍ଲାଉ ଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଭାଲୁର ମୃତ୍ୟୁ ଘଟିଛି । ଆଜି ସକାଳେ ଏଭଳି ଦୃଶ୍ୟ ଦେଖି ଲୋକେ ନୀଳଗିରି ବନ ବିଭାଗକୁ ଖବର ଦେବା ପରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।