ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡ଼ା, (୫/୦୮) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ମୁନିଗୁଡା ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅତିଥିଭାବେ ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା,ସମ୍ମାନିତ ଅତିଥି ବିଡ଼ିଓ ପ୍ରିତମ କୁମାର ତନ୍ତୀ, ତହସିଲଦାର ଏମ.ଅନୁରାଧା ପ୍ରମୁଖ ଉପସ୍ଥିତ ରହି ମୋଟ ୫୨ଟି ଅଭିଯୋଗ ଶୁଣିଥିଲେ l ଅଭିଯୋଗ ମାନଙ୍କ ମଧ୍ୟରୁ ରାସ୍ତା,ଗମନାଗମନ, ପାନୀୟଜଳ,ଆବାସ ଯୋଜନା, ଭତ୍ତା,ରାସନ କାର୍ଡ,ଜମିପଟ୍ଟା ସହ ବିଭିନ୍ନ ଅଭିଯୋଗ ଗୁଡିକ ରହିଥିଲା l
ଏହି ଅବସରରେ ମୁନିଗୁଡା ମାର୍ଚେଣ୍ଟ ଆସୋସିଏସନ ତରଫରୁ ଆସୋସିଏସନର ସଭାପତି ଚିନ୍ତାମଣି ସାହୁ, ସମ୍ପାଦକ ବଳରାମ ନାୟକ, ପ୍ରଭାତ ପାଣିଗ୍ରାହୀ, ଚିତ୍ତରଞ୍ଜନ ଦାସ, କେ. ସତ୍ୟନାରାୟଣ ରାଓ,ବାଲାଜୀ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁନିଗୁଡାରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅଜଣା ପୋକ କାମୁଡ଼ା ରୋଗ ନିରାକରଣ ପ୍ରତି ଜନ ସଚେତନତା କାର୍ଯ୍ୟକ୍ରମ,ଭୁଶୁଡ଼ି ପଡ଼ିଥିବା ଟ୍ରାଫିକ ସମସ୍ୟା ଓ ଗୋବର୍ଦ୍ଧନ ଛକ ପେଟ୍ରୋଲପମ୍ପ ନିକଟରେ ଟ୍ରାଫିକ ପୋଷ୍ଟ ସ୍ଥାପନ, ପାଇକ ସାହି, ଖମଣସାହି, ଗୌଡ଼ସାହିର ପକା ଡ୍ରେନେଜ୍ ନିର୍ମାଣ କରିବା ଦାବିକରିଥିଲେ l
ଏହି ନିକଟରେ ପାଇକ ସାହିରେ ମଦନ ବେହେରା ଙ୍କ ପତ୍ନୀଙ୍କର ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଠାରେ ମୃତ୍ୟୁ ଘଟିଥିବା ବେଳେ ବିଶେଷ କରି ପାଇକ ସାହି ଓ ଅନ୍ୟ ସାହିରେ ଅଜଣା ପୋକ କାମୁଡିବା ଦ୍ଵାରା ବହୁ ଲୋକ ଗୁରୁତର ହୋଇ ଭୁବନେଶ୍ୱର, ବ୍ରହ୍ମପୁରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଏହି ଅଜଣା ପୋକ ଚିହ୍ନଟ ଓ ଜନ ସଚେତନତା କାର୍ଯ୍ୟକ୍ରମ କରାଗଲେ ସାଧାରଣ ଲୋକେ ପୋକ ଚିହ୍ନଟ ଓ ରୋଗ ଲକ୍ଷଣ ପ୍ରତି ସଚେତନ ହୋଇପାରିବେ ।
ବୁଲା ଗାଈଗୋରୁ ମାନେ ମୁନିଗୁଡା ବସ ଷ୍ଟାଣ୍ଡ ଠାରୁ ଗୋବଦ୍ଧନ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପଡି ରହୁଛନ୍ତି ଯାହାଦ୍ୱାରା ଟ୍ରାଫିକ ସମସ୍ୟା ରହୁଛି ଏବଂ ବେଆଇନ ଗାଡି ପାର୍କିଙ୍ଗ ଯୋଗୁଁ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ କ୍ଷତି ଘଟୁଛି ବୋଲି ଲିଖିତ ଅଭିଯୋଗ କରିବା ସହ ଏହାର ସମାଧାନ ଶୀଘ୍ର କରିବାକୁ ନିବେଦନ କରାଯାଇଛି l ପରେ ମାର୍ଚେଣ୍ଟ ଆସୋସିଏସନ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ବ୍ୟକ୍ତିଗତ ଭାବେ ମୁନିଗୁଡା ମେଡିକାଲ ଅଫିସର ଆଶିଷ କୁମାର ପଣ୍ଡା ଓ ଥାନା ଅଧିକାରୀ ସୌଦାମିନୀ ବେହେରା,ଏସଆଇ ମନୋରଞ୍ଜନ ଵିଶ୍ଵାଳଙ୍କ ସହ ସମାଧାନ ନିମନ୍ତେ ଆଲୋଚନା କରିଥିଲେ l
ଉକ୍ତ ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ସରସ୍ବତୀ ଶବର,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଞ୍ଜନ ସାହୁ,ଗୋଷ୍ଠୀ କଲ୍ୟାଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଓଡ଼ିଶା ଜୀବିକା ମିଶନ ଅଧିକାରୀ କ୍ଷିରୋଦ ଭୂୟାଁ, ଆରଡ଼ି ବିଭାଗ କନିଷ୍ଠ ଯନ୍ତ୍ରୀ ସୁଜ୍ଞାନୀ ବେହେରା, ଫୋରେଷ୍ଟର ସୌଦାମିନୀ ମଣ୍ଡାଙ୍ଗୀ,ବ୍ଲକ ଏପିଓ ବିନୟ ପାଣି, ସାମାଜିକ ସୁରକ୍ଷା ବିଭାଗର କଳ୍ପନା ସାହୁ, ସିଡିପିଓ ଡାଳିମ୍ବ ନାୟକ, ଏବିଈଓ ପ୍ରସନ୍ନ କୁମାର ପାତ୍ର, ଯୋଗାଣ ଅଧିକାରୀ,ରାଜସ୍ବ ନିରୀକ୍ଷକ ପ୍ରମୁଖଙ୍କ ସମେତ ଅନ୍ୟ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଯେଉଁ ଅଭିଯୋଗ ଗୁଡ଼ିକ ଜିଲ୍ଲା ସ୍ତରୀୟ ସମାଧାନ ଦିଗରେ ତ୍ୱରାନ୍ୱିତ ହେବ ତାକୁ ଜିଲ୍ଲାପାଳ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଯେଉଁ ଗୁଡ଼ିକ ବ୍ଲକ ସ୍ତରୀୟ ସମାଧାନ ସେଗୁଡିକୁ ତୁରନ୍ତ ଯଥାଶୀଘ୍ର ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀ ତନ୍ତୀ ପ୍ରକାଶ କରିଥିଲେ।