ମୁନିଗୁଡା, (୨୩/୩) : ଆ.ପ୍ର. : ରାୟଗଡା ଜିଲ୍ଲା ମୁନିଗୁଡାର ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ସଭାପତି ସିଏଚ.ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ବୈଠକରେ ମୁନିଗୁଡାକୁ ରାୟଗଡା ରେଳ ଡିଭିଜନରେ ସାମିଲ ପାଈଁ ଦାବି ଜୋର ଉଠିଥିଲା l ପୂର୍ବରୁ ମୁନିଗୁଡା ସମ୍ବଲପୁର ରେଳ ଡିଭିଜନରେ ରହିଥିଲା l ରାୟଗଡା ଜିଲ୍ଲାବାସୀଙ୍କ ତରଫରୁ ରାୟଗଡାକୁ ନୂତନ ରେଳ ଡିଭିଜନ କରିବାକୁ ଦାବି ହୋଇଥିବା ବେଳେ ତାହା ସଫଳ ମଧ୍ୟ ହୋଇଥିଲା l କିନ୍ତୁ ସେଥିରୁ ମୁନିଗୁଡା ରେଳ ଷ୍ଟେସନକୁ ବାଦ ଦିଆଯାଇଥିବା ଜାଣିବା ପରେ ମୁନିଗୁଡା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି l ଯାହାକୁ ନେଇ ପ୍ରଗତି ମଞ୍ଚ ତରଫରୁ ମୁନିଗୁଡାକୁ ରାୟଗଡା ରେଳ ଡିଭିଜନରେ ସାମିଲ କରିବା ପାଈଁ ଦାବି ଉଠିଛି l
ଏନେଇ ଏକ ଦାବିପତ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ରେଳ ଜିଏମ ଭୁବନେଶ୍ୱର, ରାୟଗଡା ଡିଆରଏମ, ଜିଲ୍ଲାପାଳ ଓ ଲୋକସଭା ସାଂସଦ କୋରାପୁଟ ସପ୍ତାଗିରିଶଙ୍କର ଉଲ୍ଲାକା ପ୍ରମୁଖଙ୍କୁ ପ୍ରେରଣ ନିମନ୍ତେ ଆଲୋଚନା ହେବା ସହ ଆସନ୍ତା ଏପ୍ରିଲ ମାସରେ ପ୍ରଗତି ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ଦିଲ୍ଲୀ ଯାତ୍ରା କରି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା ନିମନ୍ତେ ନିଷ୍ପତି ହୋଇଥିଲା l ସୂଚନା ଯେ ନୂତନ ରାୟଗଡା ରେଳ ଡିଭିଜନ ମୁନିଗୁଡା ଠାରୁ ୫୫ ରୁ ୬୦ କିଲୋମିଟର ହେଉଥିବା ବେଳେ ସମ୍ବଲପୁର ଡିଭିଜନ କାର୍ଯ୍ୟାଳୟ ୨୫୦ ରୁ ଉର୍ଦ୍ଧ କିଲୋମିଟର ହେଉଛି l ପୂର୍ବରୁ ରାୟଗଡା ଡିଭିଜନ ନଥିବା ବେଳେ ଲୋକେ ବାଧ୍ୟ ହୋଇ ଏତେଦୂର ଯାତ୍ରା କରି ସମୟ ନଷ୍ଟ ହେବା ସହ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ l ତେବେ ଏହି ସମସ୍ୟା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ମୁନିଗୁଡାକୁ ରାୟଗଡା ରେଳ ଡିଭିଜନରେ ସାମିଲ ପାଈଁ ମୁନିଗୁଡା ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି l
ସେହିପରି ପୂର୍ବରୁ ଦୁଇ ଦୁଇ ଥର ମୁନିଗୁଡାକୁ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା ହୋଇଥିବା ବେଳେ ତାହା ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ମୁନିଗୁଡା ସହର ବିଜ୍ଞାପିତ ଅଞ୍ଚଳ ନିମନ୍ତେ ସମସ୍ତ ପ୍ରକାର ସୁବିଧା ରହିଥିବା ବେଳେ ଏହାକୁ ନେଇ ପୂର୍ବରୁ ମୁନିଗୁଡାର ବିଭିନ୍ନ ସଙ୍ଗଠନ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୦ ଦିନ ଧରି ଧାରଣାରେ ବସିଥିଲେ l ଏବଂ ପରେ ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଯାଇ ସେଠାରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ସଚିବକୁ ଭେଟି ଦାବିପତ୍ର ଦେବାସହ ଆଲୋଚନା ମଧ୍ୟ କରାଯାଇଥିଲା l ଯାହାଦ୍ୱାରା ଏହାର କିଛି ମାସ ପରେ ସରକାରଙ୍କ ତରଫରୁ ମୁନିଗୁଡାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଥିଲା l କିନ୍ତୁ ତାହା ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ l
ଆଗାମୀ ଦିନରେ ଯଦି ସରକାର ମୁନିଗୁଡାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ନକରନ୍ତି ତେବେ ଆନ୍ଦୋଳନ ଜୋରଯାର କରାଯିବ ବୋଲି ନିଷ୍ପତି ନିଆଯାଇଥିଲା l ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତି ମଞ୍ଚର ଉପ ସଭାପତି ରାଜୀବ ଲୋଚନ ଦାସ,ସହ ସମ୍ପାଦକ ମନୋରଞ୍ଜନ ଦଳାଇ, କୋଷାଧକ୍ଷ ନନ୍ଦ କିଶୋର ପଟ୍ଟନାୟକ,ରାମଚନ୍ଦ୍ର ବେହେରା, ପ୍ରଦୀପ କୁମାର ପରିଛା,ରାମକୃଷ୍ଣ ପଣ୍ଡା,ପ୍ରମୋଦ ସାହୁକାର,ବାଲାଜୀ ପାତ୍ର,ବିଦ୍ୟାଧର ଦାସ, ଦେବେନ୍ଦ୍ର ବେହେରା,କେ.ଶ୍ରୀନିବାସ, ନରେଶ ପାତ୍ର,ସୁଧାକର ମହାରଣା,ରଜନୀ ମିଶ୍ର, ବି.ଆନନ୍ଦ ରାଓ ଓ ସନ୍ତୋଷ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l