ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୩/୦୫) : ସ୍ୱାସ୍ଥ୍ୟ ଅବସ୍ଥାର ବିକଳ ଚିତ୍ର କେବଳ ଦୁର୍ଗମ ଅଞ୍ଚଳରେ ନୁହେଁ, ମାୟାନଗରୀ ମୁମ୍ବାଇରେ ବି ଦେଖିବାକୁ ମିଳିଛି । ଏବେକାର ଦୁନିଆରେ ବି ମେଡିକାଲରେ ମୋବାଇଲ ଲାଇଟ୍ରେ ହେଉଛି ପ୍ରସବ ।
ମୁମ୍ବାଇରେ ବି ମୋବାଇଲ ଲାଇଟ୍ରେ ପ୍ରସବ; ମା’ ଓ ନବଜାତ ମୃତ । ଏହାର ପରିଣାମ ସ୍ୱରୂପ ଉଭୟ ମା’ ଓ ନବଜାତ ଆଖି ବୁଜିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ମେଟ୍ରୋ ସିଟି ମୁମ୍ବାଇରେ ଘଟିଛି । ପରିବାର ଲୋକେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଖୁସରୁଦ୍ଦିଦ ଅନସାରୀ ନାମକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପତ୍ନୀ ସାହିଦୁନ ଗର୍ଭବତୀ ଥିଲେ। ପ୍ରସବ ନିମନ୍ତେ ତାଙ୍କୁ ସୁଷମା ସ୍ୱରାଜ ମ୍ୟାରଟନିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହସ୍ପିଟାଲର ଲାଇନ୍ କଟି ଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେନେରେଟର ବି ଲଗାଇ ନ ଥିଲେ । ଫଳରେ ଉକ୍ତ ସମୟରେ ମୋବାଇଲ ଲାଇଟ୍ରେ ସାହିଦୁନଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅପରେସନ ଟେବୁଲ ଉପରେ ଶିଶୁଟି ଆଖି ବୁଜି ଦେଇଥିବା ବେଳେ ସାହିଦୁନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟତ୍ର ନେଇଯିବାକୁ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ମାତ୍ର ବାଟରେ ହିଁ ସେ ବି ଆଖି ବୁଜି ଦେଇଥିଲେ ।
ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଖାମଖିଆଲିପଣ ତଥା ମୋବାଇଲ ଲାଇଟ୍ରେ ଅପରେସନ କରିବାରୁ ଉଭୟ ମା’ ଓ ଶିଶୁଙ୍କ ଜୀବନ ଚାଲି ଯାଇଥିବା ଖୁସରୁଦ୍ଦିଦ ଅନସାରୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ତେଣୁ ଡାକ୍ତର ତଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ପୁଲିସ୍ ପହଞ୍ଚି ବୁଝାଶୁଝା କରି ପରିସ୍ଥିତି ଶାନ୍ତ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।