ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୩/୦୨) : ମୁରିବାହାଲ ସଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ନିପୁଣ ଓଡ଼ିଶା ମେଳା – ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁରିବାହାଲ କ୍ଲଷ୍ଟରର ସିଆରସିସି ହୃଷିକେଶ ଶିକାଙ୍କ ଆହ୍ଵାନ କ୍ରମେ କାର୍ଯ୍ୟକାରୀ ସଭାପତି ଭାବରେ ଏହି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ରୋତସ୍ଵିନୀ ମାଝୀ, ମୁଖ୍ୟ ଅତିଥି ଭାବରେ କୈଲାସ ଚନ୍ଦ୍ର ଭୋଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁରିବାହାଲ, ସମ୍ମାନିତ ଅତିଥି ଭାବରେ ମୁରିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ଵବିହାରୀ ଯୋଶୀ, ଥୟରାଜ ପ୍ରଧାନୀ ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ନୃପରାଜ ମାଝୀ ଲଖନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ ।
ଏହି କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ଅତିଥିମାନେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ ।ଏହାପରେ ନିପୁଣ ଶପଥ ପାଠ ଏବଂ ନିପୁଣ ସଂଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ମୁରିବାହାଲ ସିଆରସିସି ହୃଷିକେଶ ଶିକା ସୁନ୍ଦର ଭାବରେ ପରିଚାଳନା କରିଥିଲେ । ମୁରିବାହାଲ କ୍ଲଷ୍ଟରରେ ଥିବା ୧୨ ଟି ସରକାରୀ ପ୍ରାଥମିକ/ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ,ସହ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅଭିଭାବକ ଅଭିଭାବିକାବୃନ୍ଦ ଉପସ୍ଥିତ ଥିଲେ । ଏହି ମେଳାରେ ୪ଟି ଷ୍ଟଲ୍ ଲାଗିଥିଲା । ଯଥା ସାକ୍ଷରତା ଶିକ୍ଷଣ ସାମଗ୍ରୀ, ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ, ସୃଜନଶୀଳ କାର୍ଯ୍ୟକଳାପ ଏବଂ ମତାମତ ଷ୍ଟଲ୍ । ପ୍ରତ୍ୟେକ ଷ୍ଟଲରେ ପ୍ରାୟ ୫୦ ଟି ଲେଖାଏଁ ଏଫଏଲଏନ ଓ ଟିଏଲଏମ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ ।
ଅତିଥିଗଣ ପ୍ରତି ଷ୍ଟଲକୁ ଯାଇ ସମସ୍ତ ଶିକ୍ଷଣ ସାମଗ୍ରୀଗୁଡିକୁ ପର୍ଯ୍ୟବେକ୍ଷଣ କରିଥିଲେ । କାର୍ଯ୍ୟକ୍ରମର ଶେଷ ସମୟରେ ସମସ୍ତ ପ୍ରତିଯୋଗୀଙ୍କୁ ଅତିଥିଗଣଙ୍କ ଠାରୁ ପୁରସ୍କୃତ କରାଯାଇଥିଲା ।ପ୍ରଧାନଶିକ୍ଷୟିତ୍ରୀ ସ୍ରୋତସ୍ୱିନୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମଟିକୁ ପରିସମାପ୍ତି ଘୋଷଣା କରିଥିଲେ ।