ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୯/୦୪) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ତାପମାତ୍ରା ୪୫ଡ଼ିଗ୍ରୀ ଉପରେ ରହୁଛି ।
ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଆହୁରି ଉତ୍କଟ ଆକାର ଧାରଣ କରିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଖୋଦ ମୁରିବାହାଲ ବ୍ଲକ ସଦର ମହକୁମାରେ ପାନୀୟ ଜଳଯୋଗାଣ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ମୁରିବାହାଲ ଦଳିତ ପଡ଼ା, ଲୁହୁରା ପଡ଼ା, ବଜାର ପଡ଼ା ଓ ଷ୍ଟେସନ ପଡ଼ାକୁ ପାନୀୟ ଜଳଯୋଗାଣ ଠିକ୍ ଭାବେ କରାଯାଉନଥିବା ଅଭିଯୋଗରେ ମୁରିବାହାଲ ସଦର ସମିତି ସଭ୍ୟ ଚକ୍ରଧର ହେର୍ଣାଙ୍କ ନେତୃତ୍ବରେ ଦଳିତ ପଡ଼ାର ମହିଳାମାନେ ବ୍ଲକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ।ଗ୍ରାମକୁ ଓଭର ହେଡ୍ ଟେଙ୍କ ମାଧ୍ୟମରେ ଜଳ ଯୋଗାଣ କରାଯାଉଥିଲେ ମଧ୍ୟ ଏହି ପଡ଼ାଗୁଡ଼ିକୁ ଠିକ୍ ରୂପେ ପାଣି ମିଳୁନାହିଁ।ଗ୍ରାମର ଦଳିତ ପଡ଼ା ଓ ଲୁହୂରା ପଡ଼ାକୁ ଆଜି ପର୍ଯ୍ୟନ୍ତ ପାଇପ ଲାଇନ କାମ ସମ୍ପୂର୍ଣ୍ଣ କରାଯାଇନାହିଁ ।
ସେହିପରି ବଜାର ପଡ଼ା ଓ ଷ୍ଟେସନ ପଡ଼ାକୁ ଠିକ୍ ଭାବେ ପାଣି ଆସୁନାହିଁ । ଦଳିତ ପଡ଼ାର ବହୁ ମହିଳା ସେମାନଙ୍କୁ ବାଛବିଚାର କରି ପାଣି ଦିଆଯାଉନଥିବା ଅଭିଯୋଗ ସହ ଦାବିପତ୍ର ପ୍ରଦାନ କରି ସେମାନଙ୍କ ପଡ଼ାକୁ ଶୀଘ୍ର ପାନୀୟ ଜଳଯୋଗାଣ ସୁନିଶ୍ଚିତ କରିବାକୁ ଦାବୀ କରିଥିଲେ । ସେହିପରି ବ୍ଲକର ଲଖନା ପଞ୍ଚାୟତ କନ୍ଧେନଝୁଲା ଗ୍ରାମରେ ଓଭର ହେଡ଼ ଟ୍ୟାଙ୍କ ମାଧ୍ୟମରେ ପାନୀୟ ଜଳଯୋଗାଣ ହେଉଥିଲେ ମଧ୍ୟ ଗ୍ରାମର ଦୁଇଟି ଦଳିତ ପଡ଼ାକୁ ବାଛବିଚାର କରି ପାନୀୟ ଜଳଯୋଗାଣ କରାଯାଉନଥିବା ପଡ଼ାର ମହିଳାମାନେ ବ୍ଲକ କାର୍ଯ୍ୟାଳୟରେ ଗୁରୁତର ଅଭିଯୋଗ କରିଥିଲେ । ଉଭୟ ଦାବିପତ୍ରକୁ ବ୍ଲକ ଗୋଷ୍ଠୀ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ଗ୍ରହଣ କରି ଉଭୟ ପଞ୍ଚାୟତ ପିଇଓଙ୍କ ସହ ଆଲୋଚନା କରିବା ସହ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ଦେଇ ତୁରନ୍ତ ଦଳିତ ପଡ଼ାଗୁଡ଼ିକୁ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ ।
କନ୍ଧେନଝୁଲା ଦୁଇଟି ଦଳିତ ପଡ଼ାର ଅମ୍ବିକା ଛୁରା, ଲଳିତା ଛୁରା, ଅମ୍ବିକା ସୁନା, ନନ୍ଦିନୀ ସୁନା, ଚଞ୍ଚଳା ସୁନା,ଉର୍ବଶୀ ଛୁରା,ବବିକାନ୍ତି ଛୁରା, ଲୁଚନା ଛୁରା, ତୁଲସା ଛୁରା, ମାଧୁରୀ ଛୁରା ଓ ସୁମନ ଛୁରାଙ୍କ ସହ ବହୁ ସଂଖ୍ୟକ ମହିଳା ପାଣି ମୁନ୍ଦିଏ ପାଇଁ ବ୍ଲକ ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ । ତୁରନ୍ତ ମୁରିବାହାଲ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତର ପାନୀୟ ଜଳ ଓ ଜଳଯୋଗାଣ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।