କରଞ୍ଜିଆ, (୨୬/୦୬) : ଆପ୍ର. : କରଞ୍ଜିଆରେ ଲଜ୍ଜା । ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଆଉ ଜଣେ ଗିରଫ । ଗତକାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତକୁ ଧରିଛି ପୋଲିସ ।
ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ମୁଖ୍ୟ ଅଭିଯୁକ୍ତ ମଲ୍ଲାରପଦା ଗାଁର ବିକାଶ ପାତ୍ର ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଳା କରଞ୍ଜିଆ ଥାନା ହଳଦିଆପଶି-ମଲ୍ଲାରପଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଯୁବତୀ ଜଣକ ମାମୁ ଘରକୁ ବୁଲିବାକୁ ଆସିଥିଲେ । ମଙ୍ଗଳବାର ସନ୍ଧ୍ୟା ୫ଟା ବେଳେ ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ଗାଁ କାଜୁ ଜଙ୍ଗଲ ନିକଟରୁ ଅପହରଣ ପରେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତାଙ୍କ ପକ୍ଷରୁ କରଂଜିଆ ଥାନାରେ ଅଭିଯୋଗ ହୋଇଥିଲା । ଫେରାର ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।