ଭୁବନେଶ୍ୱର, (୨୮/୦୩) : ଆପ୍ର. : ରାଜଧାନୀ ଭୁବନେଶ୍ୱରରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି । ଶୁକ୍ରବାର ସକାଳେ ପାତ୍ରପଡା ଭିଟୁ ସାମ୍ନାରୁ ଗୋରୁ ଗାଡ଼ି ଜବତ କରିଛନ୍ତି ଗୋ ସେବକ ।
ତେବେ ଘଟଣା ସ୍ଥଳରୁ ଗାଡ଼ିର ଡ୍ରାଇଭର୍ ଫେରାର ହୋଇଯାଇଥିବା ଜଣାପଡ଼ିଛି । ରାଜ୍ୟରେ ଏବେ ବାରମ୍ବାର ଗୋ ଚାଲାଣ ନେଇ ଖବର ପ୍ରକାଶ ପାଉଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଗୁଡ଼ିକରୁ ଅଧିକ ପରିମାଣରେ ଗୋ-ଚାଲାଣର ଖବର ସାମ୍ନାକୁ ଆସୁଛି । ଏଣେ ଭୁବନେଶ୍ୱରରୁ ମଧ୍ୟ ଗୋ ଚାଲାଣ ଗାଡ଼ି ଜବତ ହୋଇଛି । ଏକ ଟ୍ରକରେ ଗୋରୁ ଚାଲାଣ କରାଯାଉଥିବା ନେଇ ଗୋ-ସେବକଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ।
ଏହା ପରେ ସେମାନେ ଗାଡ଼ିକୁ ପିଛା କରିଥିଲେ । ପାତ୍ରପଡ଼ା ନିକଟରେ ଗାଡ଼ିଟିକୁ ଗୋ-ସେବକମାନେ କାବୁ କରିବାରେ ସକ୍ଷମ ହୋଇଥିଲେ । ଗାଡ଼ିରେ ୧୩ରୁ ଉର୍ଦ୍ଧ୍ୱ ଗୋରୁ ଥିବା ଦେଖିବାକୁ ମିଳିଛି । ଗାଡ଼ିଟି ଯଦୁପୁରରୁ ଆସିଥିବା ଜଣାପଡ଼ିଥିବାବେଳେ ପୋଲିସକୁ ହସ୍ତାନ୍ତର କରାଯାଇଛି । ସମସ୍ତ ଗୋରୁଙ୍କୁ ଗୋଶାଳାରେ ରଖାଯାଇଛି ।