ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୯/୧୨) : ଭୁବନେଶ୍ୱର ଜାଭିଅର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ପିଟି ହେଲା କାର୍-ଭ୍ୟାନ୍-ଅଟୋ । ପ୍ରଥମେ ସ୍କୁଲ ଭ୍ୟାନ୍କୁ ପିଟିଲା କାର । ତା’ପରେ ସ୍କୁଲ ଭ୍ୟାନ୍ ପିଟିହେଲା ଅଟୋରେ ।
ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଅଟୋଟି ଦୁଇଟି ବାଇକ୍ରେ ପିଟି ହୋଇଯାଇଥିଲା । ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେଥିରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଜାଭିଅର ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ଏକ ସ୍କୁଲ ଭ୍ୟାନ୍ ଓ ଅଟୋ ଛିଡ଼ା ହୋଇଥିଲା । ଠିକ୍ ସେତିକି ବେଳେ ଏକ କାର ଦ୍ରୁତ ଗତିରେ ଆସି ସ୍କୁଲ ଭ୍ୟାନ୍କୁ ପିଟିଥିଲା । ସ୍କୁଲ ଭ୍ୟାନ୍ଟି ଯାଇ ଅଟୋରେ ପିଟି ହୋଇଯାଇଥିଲା । ତା’ପରେ ଅଟୋଟି ଦୁଇଟି ବାଇକ୍କୁ ପିଟି ଥିଲା । ଦୁର୍ଘଟଣା ପରେ ଚାଳକ କାର୍କୁ ପଛେଇ ପଛେଇ ନେଇଯିବାକୁ ଚେଷ୍ଟା କରିଥିଲେ । ହେଲେ ସ୍ଥାନୀୟ ଲୋକେ ଯିବାକୁ ଦେଇନଥିଲେ । କାର୍ ଭିତରୁ ତାଙ୍କୁ ଟାଣିଆଣି ବହେ ନାଦିଥିଲେ। କ୍ଷତିପୂରଣ ଦାବି କରିଥିଲେ ।
ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଥିଲା। ମୈତ୍ରୀ ବିହାର ଥାନା ପୁଲିସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ କାର୍ ଚାଳକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସ୍ଥାନୀୟ ସାଲିଆ ସାହି ଲୋକେ ଚାଳକକୁ ଛାଡ଼ି ନଥିଲେ । କ୍ଷତିପୂରଣ ନଦେଲେ ଛାଡ଼ିବୁ ନାହିଁ ବୋଲି ରୋକ୍ଠୋକ୍ ଭାବେ ଶୁଣାଇ ଦେଇଥିଲେ । ପୁଲିସ୍ ଓ ଲୋକଙ୍କ ଭିତରେ ଠେଲାପେଲା ହୋଇଛି । ସ୍ଥିତି ଅଣାୟତ୍ତ ହେବାରୁ ସେଠାରେ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।