ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୩/୦୧) : ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି ।
ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି । ଗୁଳିମାଡ଼ର ଶିକାର ହୋଇଥିବା ନାବାଳକ ଭାଇଭଉଣୀ ହେଲେ ପ୍ରଫୁଲ୍ଲ ମିର୍ଧାଙ୍କ ୧୫ ବର୍ଷୀୟା ଝିଅ ଜାଜ୍ଞସେନି ମିର୍ଧା ଓ ୧୧ ବର୍ଷୀୟ ପୁଅ ପ୍ରକାଶ ମିର୍ଧା । ଗତ ରାତିରେ ପରିବାର ଲୋକେ ଖାଇପିଇ ଶୋଇଥିବା ବେଳେ ଭାଇଭଉଣୀ ଗୋଟିଏ ରୁମ୍ରେ ଶୋଇଥିଲେ । ରାତି ଅଧରେ ହଠାତ୍ ଗୁଳି ମାଡ଼ ଶବ୍ଦ ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ ।
ଏହାପରେ ପୁଅଝିଅ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ତୁରନ୍ତ ଉଭୟଙ୍କୁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି । ଗୁଳିକାଣ୍ଡ କିଏ ଓ କଣ ପାଇଁ କରିଛି ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନ ଥିବାବେଳେ, କିଶୋରନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।