ରାୟଗଡା, (୨୭/୦୫) : ଆପ୍ର. : ରାଜ୍ୟରେ ମାଓ ମୂଳପୋଛ ଅପରେସନକୁ ତୀବ୍ର କରାଯାଇଛି । ମାଓବାଦୀ ମାନେ ଆତ୍ମଗୋପନ କରିବାକୁ ମିଳୁନାହିଁ ସୁରକ୍ଷିତ ସ୍ଥାନ ।
ସାମାନ୍ୟ ବ୍ୟତିକ୍ରମ ହେଲେ ପୋଲିସକୁ ମିଳୁଛି ସୂଚନା। ମାଓ ଶିବିର ଉପରେ ଅବିଳମ୍ବେ ଚଢ଼ାଉ କରୁଛି ପୋଲିସ। ପୋଲିସର ଏନକାଉଣ୍ଟରେ ମରୁଛନ୍ତି ମାଓବାଦୀ। ପୂର୍ବ ଭଳି ଏବେ ଲୋକଙ୍କ ସମର୍ଥନ ଓ ସହଯୋଗ ମିଳୁ ନାହିଁ । ଏଣୁ ମାଓବାଦୀଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଛି । ଏଣୁ ମାଓବାଦୀ ମାନେ ସମୟ ସୁଯୋଗ ଦେଖି ଆତ୍ମ ସମର୍ପଣ କରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ରାୟଗଡା ଏସପି ସ୍ଵାତୀ ତିକୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି ହାଡକୋର ମାଓବାଦୀ ଵିଜୟ ପୁନେମ ଏଲିଆସ୍ ଅଜୟ । ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମର ବୋଲି ଜଣାପଡିଥିବା ବେଳେ, ସେ ଦୀର୍ଘ ବର୍ଷ ହେବ ବାସଧରା, ଘୁମୂସର,ନାଗାବଳୀ ଡିଭିଜନର କେଡର ମାଓବାଦୀ ଭାବେ କାର୍ଯ୍ଯ କରୁଥିଲେ। ମାଓବାଦୀ ବିଜୟ 2009 ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା।
ଟ୍ରେନିଂ ଶେଷ ହେବା ପରେ ତାକୁ 2014 ମସିହାରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ମିଳିଥିଲା। ଏବଂ 2024 ମସିହାରେ ତାକୁ ବାଶଧରା, ଘୁମୁସର, ନାଗାବଳୀ ଡିଭିଜନର କ୍ୟାଡେର୍ ଦାୟିତ୍ୱ ମିଳିଥିଲା। ବିଜୟ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୌଦ, କନ୍ଧମାଳ ଓ ରାୟଗଡାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାରେ ଜଡିତ ଥିବା ରାୟଗଡା ଏସପି ସ୍ଵାତୀ ଏସ୍ କୁମାର୍ ସୂଚନା ଦେଇଛନ୍ତି। ତା ଉପରେ ୪ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ତାଠାରୁ ଗୋଟିଏ ୯ଏମଏମ୍ ପିସ୍ତଲ, 8ରାଉଣ୍ଡ ଅଫୁଟା ଗୁଳି, ୱାକିଟକି ଓ ଘଣ୍ଟା ସହ ଆତ୍ମ ସମର୍ପଣ କରିଛି । ତେବେ ଆଜି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ, ସରକାରଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସ୍ଵାତୀ ଏସ୍ କୁମାରଙ୍କ ସୂଚନା ରହିଛି । ଅନ୍ଯପଟେ ନକ୍ସଲ ସଂଗଠନ ଉପରେ ବିମୁଖ ହୋଇ ସେ ଆତ୍ମସମର୍ପଣ କରିଥିବା ବେଳେ, ଆଗକୁ ନିଜ ସ୍ତ୍ରୀ ଓ ଅନେକ ସାଥୀ ଆତ୍ମ ସମର୍ପଣ କରିବେ ବୋଲି ମାଓବାଦୀ ବିଜୟ ସୂଚନା ଦେଇଛନ୍ତି ବୋଲି ରାୟଗଡ଼ା ଏସପି ସୂଚନା ଦେଇଛନ୍ତି ।