ରାୟଗଡା, (୧୬/୦୪) : ଆପ୍ର. : ରାୟଗଡା ସହରରେ ପ୍ରତ୍ୟେକ ଦିନ କିଛି ନା କିଛି ପାର୍ବଣ ପାଳନ ଉଦ୍ଦେଶ୍ୟରେ ଚାନ୍ଦା ଆଦାୟ କରିବା ଏକ ସାଧାରଣ ଘଟଣା ହୋଇପଡ଼ିଛି ।
ଏ ନେଇ ପୁଲିସ୍ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନ ଥିଲା ବେଳେ, ବିଭିନ୍ନ ସଙ୍ଗଠନ ମାନେ ସକାଳ ହେଲେ ରସିଦ ବହି ଏବଂ ରେଜିଷ୍ଟର ଧରି ଦୋକାନ ଦାଣ୍ଡରେ ହାଜର ହୋଇଯାଉଥିବା ଦେଖିବାକୁ ମିଳୁଛି । ଏହିଭଳି ପ୍ରତ୍ୟେକ ଦିନ ପାର୍ବଣ ଆଳରେ ଚାନ୍ଦା ମାଗିବା ଘଟଣାକୁ ବ୍ୟବସାୟୀ ମାନେ ନିନ୍ଦା କରିବା ସହ ଅତିଷ୍ଠ ହୋଇ ପଡିଛନ୍ତି । ଚାନ୍ଦା ଆଦାୟ କରୁଥିବା ଦଳ ଏପରିକି ଜୋର୍ ଜବରଦସ୍ତ ଚାନ୍ଦା ମାଗୁଛନ୍ତି। କିଏ ଯଦି କହିବ ଅଳ୍ପ ହିଁ ନିଅନ୍ତୁ..! ସେଠାରେ ଏହି ଚାନ୍ଦା ଆଦାୟ ଦଳ ପାଟି ହଟା କରିବା ସହ, ଦୋକାନ ଖୋଲି ପାରିବୁ ନାହିଁ କହିବା, ଆଗକୁ ଦେଖିଦେବି ବୋଲି କହିବା, ଅଫିସର ଙ୍କୁ କହି ଦୋକାନ ବନ୍ଦ କରିଦେବି ବୋଲି କହିବା ମଧ୍ୟ ଅଭିଯୋଗ କରିଛନ୍ତି ବ୍ୟବସାୟୀ।
କିନ୍ତୁ, ନିଜ ସୁରକ୍ଷା ଦୃଷ୍ଟି ରୁ ମୁହଁ ଖୋଲି ଗଣମାଧ୍ୟମ ସମ୍ମୁଖରେ ଆସି କହିବାକୁ ଇଚ୍ଛା କରୁ ନାହାନ୍ତି ବ୍ୟବସାୟୀ ମାନେ । ସ୍ଥାନୀୟ ପୁଲିସ ପକ୍ଷରୁ ଏ ନେଇ କିଛି ଗାଇଡ ଲାଇନ ରହିବା ସହ ବ୍ୟବସାୟୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବୀ ହୋଇ ଆସୁଛି । ଆଗାମୀ ଦିନରେ ଯଦି ବାରମ୍ବାର ପର୍ବ ପାଳନ ଆଳରେ ଚାନ୍ଦା ଆଦାୟ କରାଯାଏ ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହେବୁ ବୋଲି ବ୍ୟବସାୟୀ ମାନଙ୍କ ମହଲରୁ ଶୁଣିବାକୁ ମିଳୁଛି ।