ସୁବର୍ଣ୍ଣପୁର, (୦୧/୦୫) : ଆ.ପ୍ର : ଭିଜିଲାନ୍ସ ବିଭାଗ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଏବଂ ତାଙ୍କ ସହଯୋଗୀ ବାବୁଲାଲ ବାରିକଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି ।

ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ । ସେହିପରି ଅନ୍ୟ ଜଣେ ବ୍ୟକ୍ତି ବାବୁଲାଲ ବାରିକଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ । ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ବିଭୂତି ପ୍ରଧାନଙ୍କ ଦୁଇଟି ସ୍ଥାନ ଓ ବାବୁଲାଲ ବାରିକଙ୍କ ଗୋଟିଏ ସ୍ଥାନରେ ଚାଲିଛି ଯାଞ୍ଚ ବୋଲି ସୂଚନା ମିଳିଛି । ଗାଁ ପୋଖରୀରେ ମାଛ ଚାଷ ସବସିଡ଼ି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ଏହି ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡି ଗଲେ ମସ୍ୟ ଅଧିକାରୀ ଓ ତାଙ୍କ ସହଯୋଗୀ । ସେମାନଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଏକ ମକଦ୍ଦମା ରୁଜୁ କରି ଉଭୟଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ଭିଜିଲାନସ୍ ବିଭାଗ ।