ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୪/୩) : ଗତ ଫେବୃଆରୀ ୨୮ ତାରିଖରେ ବୋରିଗୁମ୍ମା ଥାନାରେ ଯମୁନା ସମରଥ ନାମକ ଏକ ମହିଳା ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପ୍ରକାରେ ଦୁଲାଗୁଡ଼ା ଗ୍ରାମର ବିପିନ ସମରଥ ନାମକ ବ୍ୟକ୍ତି ତାଙ୍କୁ ୧୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କର ଏକ ୧୬ ବର୍ଷୀୟ ପୁତ୍ର ଅଛି, ଯୁକ୍ତ ଦୁଇ ପାଠ ପଡୁଛି । ଏସବୁ ସତ୍ତ୍ୱେ ବିପିନ ପରିବାରକୁ ଛାଡ଼ି ଦୁଲାଗୁଡ଼ା ଗ୍ରାମର ଗୋମତି ନାମକ ମହିଳାଙ୍କୁ ବିବାହ କରୁଛନ୍ତି । ମହିଳାଙ୍କ ଧାରଣା ପରେ ପୁଲିସ ୨ଟି ଗାଡ଼ି ନେଇ ଦୁଲାଗୁଡ଼ା ଗ୍ରାମରେ ପହଞ୍ଚି ବାହାଘର ଅଟକାଇ ବର ବିପିନଙ୍କୁ ବେଦିରୁ ଉଠାଇ ଆଣି ଅଟକ ରଖି ପଚରା ଉଚୁରା ଜାରି ରଖି ଥିବା ଜଣା ପଡିଛି ।
ତେବେ ଏ ନେଇ ବୋରିଗୁମ୍ମା ଥାନାରେ କେସ୍ ନଂ ୪୮/୨୦୨୫ ପଞ୍ଜୀକୃତ କରାଯାଇ ତଦନ୍ତକାରୀ ଅଧିକାରୀ ଭାବେ ସବ୍ ଇନ୍ସ୍ପେକ୍ଟର ରଚିତା ମାଡକାମୀଙ୍କୁ ଦାୟିତ୍ଵ ଦିଆଯାଇଛି ତଥା ଭାରତୀୟ ନ୍ୟାୟ ସଂହିତାର ଧାରା ୩୫ ଅନୁସାରେ ଜାମିନ ମଞ୍ଜୁର କରାଯାଇଛି ।ପୁଲିସର ଅନୁସନ୍ଧାନ ଶେଷ ହେଲେ ପ୍ରକୃତ ଘଟଣା ଜଣା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।