ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୮) : ବିଶ୍ୱ ଆଦିବାସୀ ଦିବସ ଉତ୍ସବକୁ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘର ସମସ୍ତ ସଦସ୍ୟ, ଶବର ଭାଇ ଭଉଣୀ, ଛାତ୍ର ଛାତ୍ରୀ ଏବଂ ଅନ୍ୟାନ୍ୟ ଆଦିବାସୀଙ୍କ ଉପସ୍ଥିତିରେ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଛି ।
ପ୍ରାରମ୍ଭରେ ବିଶ୍ୱ ଆଦିବାସୀ ଦିବସ ଉତ୍ସବ ସମ୍ପର୍କରେ ଶବର ସଙ୍ଘର ସଭାପତି ଶ୍ରୀ ଚକ୍ରପାଣି ଶବର ନିଜ ବକ୍ତବ୍ୟ ରଖିବା ସହିତ ଏହି ଦିବସର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ବୈଠକରେ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଅନ୍ୟ ଆଦିବାସୀ ବନ୍ଧୁମାନେ ନିଜ ନିଜ ମତ ରଖିଥିଲେ । ବିଶେଷ କରି ଏସ ଟି, ଏସ ସି ଓ ଓବିସି ମାନଙ୍କ ପାଇଁ ସମ୍ବିଧାନରେ ଅନ୍ତର୍ଭୁକ୍ତ ସଂରକ୍ଷଣ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ସାତ ଜଣିଆ ବେଞ୍ଚ ଦେଇଥିବା ରାୟ ଉପରେ ସରଗରମ ଆଲୋଚନା ହୋଇଥିଲା । ମାନ୍ୟବର ସୁପ୍ରିମକୋର୍ଟ ସଂରକ୍ଷଣକୁ ସମାପ୍ତ କରିବା ଉଦ୍ଦେଶ୍ୟରେ ବିନା କୌଣସି ତଥ୍ୟକୁ ନେଇ ଏପରି ରାୟ ଦେବା ଦୁର୍ଭାଗ୍ୟଜନକ ବୋଲି ଉପସ୍ଥିତ ସମସ୍ତ ସଦସ୍ୟ ମତ ପ୍ରକାଶ କରିଥଲେ । କ୍ରୀମ୍ ଲେର ଶବ୍ଦର ଆକ୍ଷରିକ ବ୍ୟବହାର କିପରି କରାଯିବ ସେନେଇ ଆଲୋଚନା ହୋଇଥିଲା । ଏ ସଂପର୍କରେ ଜେ ଏନ୍ ୟୁ ର ଜଣେ ପ୍ରଫେସର ମାନ୍ୟବର ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଠିକ୍ ହୋଇନଥିବା ମନ୍ତବ୍ୟ ରଖିଥିବା କଥା ଉପସ୍ଥିତ ଅନ୍ୟ ଜଣେ ସଦସ୍ୟ ପ୍ରକାଶ କରିଥଲେ । ବୈଠକ ଶେଷରେ ଶ୍ରୀ ବଳରାମ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ପରେ ପୂର୍ବ ନିଷ୍ପତ୍ତି ଅନୁସାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଦିଆଯାଇଥିଲା । ଏହି ସ୍ମାରକପତ୍ରରେ ଆଦିବାସୀଙ୍କ ଭାଷାରେ ଆଇ ଟି ବେସଡ୍ ଟେକ୍ନୋଲୋଜି ସହିତ ଫଣ୍ଟ ଉପକରଣ ଯୋଗାଇ ଦେବା, ୨୦୨୦ ମସିହାରେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ହୋଇଯାଇଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକ ପୁଣିଥରେ ଖୋଲାଯିବା, ଆଦିବାସୀଙ୍କ ଜମି ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପକୁ ଘର ନିର୍ମାଣ ସକାଶେ କୋହଳ କରିବା ଏବଂ ଅଗଷ୍ଟ ୯ ତାରିଖ ବିଶ୍ୱ ଆଦିବାସୀ ଦିବସକୁ ଛୁଟି ଘୋଷଣା କରିବା ପାଇଁ ଦାବି କରାଯାଇଥିଲା ।