ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର , (୧୨/୦୮) : ଶିବ ମନ୍ଦିରରୁ ପାଣି ଢାଳି ବାଇକରେ ଘରକୁ ଫେରିଲା ବେଳେ ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ୍ ।
ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହେଲେ ଦୁର୍ଘଟଣାରେ ବଞ୍ଚି ଯାଇଛି ଦମ୍ପତିଙ୍କ ୯ ବର୍ଷର ପୁଅ। ଆହତ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଦମ୍ପତି ଓ ତାଙ୍କ ପୁଅ ବାଇକ୍ ଯୋଗେ ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ମହାଦେବଙ୍କ ଉପରେ ପାଣି ଢାଳି ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିଲେ। ରାବଣାଗୁଡ଼ା ଛକ ନିକଟରେ ଦମ୍ପତିଙ୍କୁ ଟ୍ରକ୍ଟି ଧକ୍କା ଦେଇଥିଲା। ପରେ ଦମ୍ପତି ତଳେ ଛିଟିକି ପଡ଼ି ଯାଇଥିଲେ । ଟ୍ରକଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।