ଉଦଳା, (୦୧/୦୭) : ଆପ୍ର. : ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ । ହେଲେ ଅଧା ରାସ୍ତାରେ ଘଟିଗଲା ଏତେ ବଡ଼ ଅଘଟଣ ।
ଗୋଟିଏ ପଶୁର ଜୀବନ ବଞ୍ଚାଇବାକୁ ଯାଇ ଆଜି ୭ ଜଣ ହସ୍ପିଟାଲ ବେଡରେ ପଡ଼ି ରହିଛନ୍ତି । ଛେଳିକୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଅଟୋ। ୪ ଜଣ ଗୁରୁତର ଅବସ୍ଥାରେ ଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି ୩ ଜଣ । ଉଦଳା ଥାନା ଭୁରୁଡୁବଣି ଛକ ନିକଟରେ ଘଟିଛି ଏଭଳି ଘଟଣା। ଖୁଣ୍ଟା ଥାନା ସାତପୌଟିଆ ଗାଁରୁ କପ୍ତିପଦା ଥାନା ନୁଦଡିହା ଅଞ୍ଚଳକୁ ଶୁଦ୍ଧିକ୍ରିୟା ନିମନ୍ତେ ଆସିଥିଲେ ୮ ଜଣ ପରିବାର ସଦସ୍ୟ। ଶୁଦ୍ଧିକ୍ରିୟା ସାରି ଫେରିବା ସମୟରେ ଭୁରୁଡୁବଣି ଛକ ନିକଟରେ ସାମ୍ନାକୁ ଏକ ଛେଳି ଆସିଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ ।
ଅଟୋରେ ଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣ ଗୁରୁତର ହେବା ସହିତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।