ଗୁଣପୁର, (୧୩/୩) : ଆ.ପ୍ର. : ଗୁଣପୁର ବ୍ଲକ ଅନ୍ତର୍ଗତ ଟିଟିମିରି ପଞ୍ଚାୟତ ଏସ୍ ପି ମାଙ୍ଗେଇ ଆଶ୍ରମର ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।
ଉକ୍ତ ଉତ୍ସବରେ ଶ୍ରୀ ଅଜୟ କୁମାର ପ୍ରଧାନ ପ୍ରକଳ୍ପ ପ୍ରଶାସକ ଆଇ. ଟି.ଡି. ଏ ଗୁଣୁପୁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ବିଧାୟକ ମାନ୍ୟବର ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଆଶ୍ରମ କାର୍ଯ୍ୟ କାରିଣୀ କମିଟିର ସଭାପତି ଶ୍ରୀ ରତ୍ନାକର ଶବର, ସମ୍ପାଦକ ଶ୍ରୀ ରାମଚନ୍ଦ୍ର ଶବର, ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଈନ୍ଦୁପ୍ରଭା ଶବର ଏବଂ ଆଶ୍ରମର ପ୍ରତିଷ୍ଠାତା ଗୁରୁମାତା ସ୍ୱର୍ଗତ ଗିରିଆ ଶବରଙ୍କ ଧର୍ମ ପତ୍ନୀ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ଉପରକୁ ଯିବା ପୂର୍ବରୁ ସମସ୍ତ ଅତିଥି ମାନେ ଆଶ୍ରମ ପରିସରରେ ରହିଥିବା ସଉରା ଲିପିର ବିନ୍ଧାଣି ସ୍ୱର୍ଗତ ଗୁରୁ ମାଙ୍ଗେଇ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ନିକଟରେ ଧୂପ ଦିପ ଦେଇ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ଶବର ବାର୍ଷିକ ବିବରଣୀ ସଉରା ଭାଷାରେ ପାଠ କରିଥିଲେ ଏବଂ ପରେ ପରେ ବିବରଣୀର ଓଡ଼ିଆ ଅନୁବାଦ ପଢା ଯାଇଥିଲା ।
ତାପରେ ମୁଖ୍ୟ ଅତିଥି ଶ୍ରୀ ଅଜୟ କୁମାର ପ୍ରଧାନ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ମାଧ୍ୟମରେ ଭଲ ପାଠ ପଢି ନିଜକୁ ପ୍ରତିଷ୍ଠିତ କରିବା ସହିତ ଦେଶର ଗୋୖରବ ବଢ଼ାଇବାରେ ଚେଷ୍ଟା କରିବା ପାଇଁ କହିଥିଲେ । ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ପିଲାମାନଙ୍କୁ ଭଲ ପାଠ ପଢି ସ୍କୁଲର ମାନ ବଢ଼ାଇବାକୁ ଉପଦେଶ ଦେଇଥିଲେ ଏବଂ ଉପସ୍ଥିତ ସମସ୍ତ ଅଭିଭାବକ ମାନଙ୍କୁ ସ୍କୁଲର ଉନ୍ନତି ଦିଗରେ ସଦା ସର୍ବଦା ଭାଗୀଦାର ରହିବାକୁ ଉତ୍ସାହିତ କରିଥିଲେ । ଏହାପରେ ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
କମିଟିର ଉପଦେଷ୍ଟା ଶ୍ରୀ ଚକ୍ରପାଣି ଶବର ମଞ୍ଚ ପରିଚାଳନା କରିଥିଲେ । କମିଟି ର ଅନ୍ୟାନ୍ୟ ସଦସ୍ୟ ମାନେ ବିଶେଷ କରି ଶ୍ରୀ ବଳରାମ ଶବର, ଶ୍ରୀ ମାଧବ ଶବର, ପ୍ରେମ ଶବର, ଗୁରୁବାରିଆ ଶବର,ରତନା ଶବର, ବିଦ୍ୟାଧର ଶବର, ଅନ୍ୟାନ୍ୟ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ସଫଳ କରିବା ଦିଗରେ ସହାୟତା କରିଥିଲେ । ପରେ ପରେ ଆଶ୍ରମ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, କାର୍ଯ୍ୟ କାରିଣୀ କମିଟି ର ସମସ୍ତ ସଦସ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ସହଯୋଗୀ ଦଳଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।