ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୧୪/୦୧) : ସଞ୍ଜ ବେଳେ ମୁଖା ପିନ୍ଧି ଘରେ ପଶିଲେ। ଛୁରୀ ଦେଖାଇ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଦେଲେ। ତା’ପରେ ସମସ୍ତ ଅଳଙ୍କାର ଓ ଆଲ୍ମିରାରେ ଥିବା ନଗଦ ୨୦ ଲକ୍ଷ ଟଙ୍କା ଲୁଟିନେଲେ ।
ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ନବରଙ୍ଗପୁର ଟାଉନ୍ରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ତନାଘନା କରୁଛି ପୁଲିସ୍ । ନବରଙ୍ଗପୁର ସହର କେଉଁଟ ସାହିର ସରୋଜ ମହାନ୍ତି ହେଉଛନ୍ତି ଜଣେ ବ୍ୟବସାୟୀ। ଆଜି ସନ୍ଧ୍ୟା ବେଳେ ସେ ନିଜର ବ୍ୟବସାୟ କାର୍ଯ୍ୟରେ ବାହାରକୁ ଯାଇଥିଲେ । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଦୁଇ ଜଣ ମୁଖା ପିନ୍ଧା ଲୁଟେରା ସରୋଜଙ୍କ ଉପର ମହଲା ଘରେ ପଶିଥିଲେ । ଘରେ ଏକାକୀ ଥିବା ତାଙ୍କ ସ୍ତ୍ରୀ ଅମିତା ମହାନ୍ତିଙ୍କୁ ଧରି ପକାଇଥିଲେ। ଛୁରୀ ଦେଖାଇ ତାଙ୍କ ହାତ, ଗୋଡ ଓ ପାଟି ବାନ୍ଧି ଦେଇଥିଲେ । ଅମିତା ପିନ୍ଧିଥିବା ଅଳଙ୍କାର ଲୁଟିଥିଲେ ।
ଅମିତାଙ୍କୁ ଲୁଟିବା ପରେ ଆଲମାରୀରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ବାହାର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ । କୌଶଳ କରି ଅମିତା ବନ୍ଧା ହାତ ଖୋଲି ନିଜ ସ୍ୱାମୀଙ୍କୁ ଫୋନ କରି ଜଣାଇବା ପରେ ସରୋଜ ଘରକୁ ଆସି ପୁଲିସକୁ ସୂଚନା ଦେଇଥିଲେ । ନବରଙ୍ଗପୁର ପୁଲିସ ଘରେ ପହଞ୍ଚି ଅମିତାଙ୍କୁ ପଚରାଉଚରା କରିଛି ।
ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ ଚଳାଇଛି ପୁଲିସ୍। ସେପଟେ ନବରଙ୍ଗପୁର ଏସ୍ପି ମିହିର କୁମାର ପଣ୍ଡା, ASP ଆଦିତ୍ୟ ସେନ, SDPO କୃଷ୍ଣଚନ୍ଦ୍ର ଭତରା ପ୍ରମୁଖ ସରୋଜଙ୍କ ଘରେ ପହଞ୍ଚିଛନ୍ତି । ନବରଙ୍ଗପୁର ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ତନାଘନାକୁ ଜୋରଦାର କରିଛି ପୁଲିସ୍ ।