ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୧୨) : ରାୟଗଡା ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଜାନୁଆରୀ ୧ତାରିଖ ଠାରୁ ଜାନୁଆରୀ ୭ତାରିଖ ପର୍ୟ୍ୟନ୍ତ ଜିଲ୍ଲାରେ ପାଳନ କରାଯିବ ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ବିଭିନ୍ନ ସଙ୍ଘଠନକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ବିଭିନ୍ନ ସ୍ଥାନରେ ସଚେତନତା କରାଯିବ । ଯଥା ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଙ୍ଘ, ଅଟୋ ଆସୋସିଏସନ, ଡ୍ରାଇଭର ମହାସଂଘକୁ ସାମିଲ କରାଯିବ । ଆସନ୍ତା ୧ ତରଖରେ ଏକ ସଚେତନତା ରଥ ଶୁଭାରମ୍ଭ କରି ଭିଡିଓ ଭେନ ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ସଚେତନତ କରାଯିଵ । ପୋଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କର୍ମଚାରୀ ଦ୍ଵାରା ମିଳିତ ଭାବରେ ଚଢ଼ାଉ କରାଯିବ ଏବଂ ସଚେତନ କରାଯିବ ।
ବିଶେଷକରି ହେଲମେଟ ବ୍ୟବହାର, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ବିନା ଲାଇସେନ୍ସରେ ଗାଡ଼ି ନ ଚଳାଇବା, କମ ବୟସ ପିଲାଙ୍କୁ ଗାଡ଼ି ନ ଚଳାଇବା ପାଇଁ ସଚେତନତା କରିବେ । ଗାଡ଼ି ଚାଳକ ମାନଙ୍କ ଚକ୍ଷୁ ପରୀକ୍ଷା କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଲୋଗାନ, କ୍ଵିଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରିବେ । ସେହିପରି ମହାବିଦ୍ୟାଳୟ ସ୍ତରରେ ମଧ୍ୟ ପ୍ରତିଯୋଗିତା ଆୟୋଜନ କରାଯିବ । କୃତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାସ୍ତରରେ ଓ ରାଜ୍ୟ ସ୍ତର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ବିଭିନ୍ନ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ସାଇକେଲ ରାଲି କିମ୍ବା ପାଦଚଲା ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଏହି ବୈଠକରେ ଅଧ୍ୟକ୍ଷା ରାୟଗଡା ମହାବିଦ୍ୟାଳୟ ଡ଼ଃ ବବିଳତା ସରାଫ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅର୍ଚନା ପଟ୍ଟନାୟକ, ଏମଭିଆଇ ରାଜଶେଖର ବେହେରା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅମ୍ଭିକେୟ ମିଶ୍ର, ସ୍ଵାସ୍ଥ୍ୟ ବିଭାଗ ଡାକ୍ତର ମମତା ଚୌଧୁରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବସ ମାଲିକ, ଟ୍ରକ ମାଲିକ, ଅଟୋ ଆସୋସିଏସନ, ଡ୍ରାଇଭର ମହାସଂଘ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।