ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୫/୦୧) : ସଫେଇ କାର୍ଯ୍ୟର ତଦାରଖ କରିବା ପାଇଁ ଯାଇଥିଲେ। ଠିକ୍ ସେତିକି ବେଳେ ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ ।
ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ ପୌର ପରିଷଦର ଅଞ୍ଚଳରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି । ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ । କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ । ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଜଣେ ବ୍ୟକ୍ତି ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଆକ୍ରମଣ କରିଥିଲେ । ସାଥୀ ସଫେଇ କର୍ମଚାରୀମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବାବୁଲିଙ୍କୁ କିଏ ଓ କ’ଣ ପାଇଁ ହତ୍ୟା କଲା, ତାହା ଜଣାପଡ଼ି ନାହିଁ । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୁଲିସ୍ । ଅନ୍ୟପକ୍ଷରେ ହତ୍ୟାକାରୀଙ୍କ ଗିରଫ ଦାବିରେ ମେଡିକାଲ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟାଉନ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ପ୍ରସମିତ ହୋଇଥିଲା ।