ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୨) : ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ ।
ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ୨୦୨୪ ମାର୍ଚ୍ଚରେ କର୍ନାଟକ ହାଇକୋର୍ଟ ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଏକ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ପୋଲିସର ଏଫ୍ଆଇଆର୍କୁ ରଦ୍ଦ କରି ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ରାଜ୍ୟ ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କର୍ନାଟକ ସରକାରଙ୍କ ଆବେଦନର ଶୁଣାଣି କରି ନିକଟରେ ଏହି ରାୟ ଦେଇଛନ୍ତି ।
ଖଣ୍ଡପୀଠ କହିଛନ୍ତି, ପ୍ରାଥମିକ ତଦନ୍ତର ଉଦ୍ଦେଶ୍ୟ ମିଳିଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବା ନୁହେଁ, ବରଂ ଯେଉଁ ତଥ୍ୟ ହସ୍ତଗତ ହୋଇଛି, ସେଥିରୁ ଏହା ଧର୍ତ୍ତବ୍ୟ ଅପରାଧ କି ନୁହେଁ ତାହା ସ୍ଥିର କରିବା । ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହୋଇଥିବା କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ମାମଲାରେ ପ୍ରାଥମିକ ତଦନ୍ତର ଆବଶ୍ୟକତା ରହିଥାଏ। କିନ୍ତୁ ସବୁ କ୍ଷେତ୍ରରେ ମାମଲା ରୁଜୁ ପୂର୍ବରୁ ପ୍ରାଥମିକ ତଦନ୍ତ କରାଯିବା ଏକ ବାଧ୍ୟତାମୂଳକ ଆବଶ୍ୟକତା ନୁହେଁ।
ଖଣ୍ଡପୀଠ ଆହୁରି କହିଛନ୍ତି, ଯଦି ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରେ ସୂଚନା ସମ୍ବଳିତ ବିସ୍ତୃତ ରିପୋର୍ଟର ଉତ୍ସ ଉପଲବ୍ଧ ରହିଥାଏ ଏବଂ ସେହି ତଥ୍ୟକୁ ଭିତ୍ତିକରି ଅନ୍ୟ ଜଣେ ଅଧିକାରୀଙ୍କୁ ଦୁର୍ନୀତିଜନିତ ଧର୍ତ୍ତବ୍ୟ ଅପରାଧରେ ଅଭିଯୁକ୍ତ କରାଯାଇପାରିବ, ସେହି ସ୍ଥଳେ ପ୍ରାଥମିକ ତଦନ୍ତକୁ ଏଡ଼ାଇ ଦିଆଯାଇପାରେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଆଲୋଚ୍ୟ ମାମଲାରେ ସରକାରୀ ଅଧିକାରୀ ଜଣକଙ୍କ ନିକଟରେ ଅଜ୍ଞାତ ସୂତ୍ରରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ଏହାର ସମସ୍ତ ଦିଗକୁ ଅନୁଧ୍ୟାନ କରି କହିଛନ୍ତି, ଦୁର୍ନୀତି ନିର୍ବାରଣ ଆଇନ ଅଧୀନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପୂର୍ବରୁ ପ୍ରାଥମିକ ତଦନ୍ତର ଆବଶ୍ୟକତା ନ ଥିଲା । ଏଠାରେ ଇନ୍ଫର୍ମେଶନ୍ ରିପୋର୍ଟକୁ ପ୍ରାଥମିକ ତଦନ୍ତର ବିକଳ୍ପ ଭାବେ ଗ୍ରହଣ କରାଯାଇପାରିବ । ୨୦୨୩ ଡିସେମ୍ବର ୪ରେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଭୁଲ୍ ଦର୍ଶାଇବା ସହ ଏହି ଆଇନର ଧାରା ୧୭ (ତଦନ୍ତ ପାଇଁ ଅଧିକୃତ ବ୍ୟକ୍ତିଙ୍କ କ୍ଷମତା) ର ଉଲ୍ଲଂଘନ ଜଣେ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା କରାଯାଇଥିବା କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଞ୍ଜୀକୃତ ଏଫ୍ଆଇଆର୍କୁ ଖଣ୍ଡପୀଠ ବଳବତ୍ତର ରଖିବା ସହ ହାଇକୋର୍ଟ ରାୟକୁ ଖାରଜ କରିଦେଇଛନ୍ତି ।