ରିପୋର୍ଟ : ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨/୬) : ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅନାଥପଣ ସାଙ୍ଗକୁ ଦିବ୍ୟାଙ୍ଗତା । ଏଭଳି ଦୁଇ ଭିନ୍ନ ଭିନ୍ନ ଚିତ୍ର ଆସିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟା ଏବଂ କଲ୍ୟାଣ ସିଙ୍ଗପୁର ସିରିପୁର ଅଞ୍ଚଳରୁ ।
ସିରିପୁର ଗାଁର କାମେଶ କାଡ୍ରାକା । ବାପା ଲଛପତି କାଡ୍ରାକା, ମା ସାଲାଇ କାଡ୍ରାକାଙ୍କ ପୁଅ କାମେଶ । ଗତ ଛଅ ବର୍ଷ ପୂର୍ବେ ହୃଦଘାତରେ କାମେଶଙ୍କ ବାପା ଲଛପତି ଆରପାରିକୁ ଚାଲିଗଲେ । କାମେଶଙ୍କ ମା ସାଲାଇ ଆଦିବାସୀ ସମ୍ପ୍ରଦାୟ ଗରିବ ଶ୍ରେଣୀର ହୋଇଥିବାରୁ କୁଲି ମଜୁରୀ କରି ପୁଅକୁ କଷ୍ଟେ ମଷ୍ଟେ ପେଟକୁ ଦାନା ଯୋଗାଡ କରି ଦେଉଥିଲେ । ଏମଧ୍ୟରେ ପୁଅ କାମେଶ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ବିଧିର ବିଡମ୍ବନା କାମେଶଙ୍କ ମା ସାଲାଇ ଡାଇବେଟିସ ରୋଗାକ୍ରାନ୍ତ ହୋଇ ଚାରି ମାସ ପୂର୍ବେ ଆରପାରିକୁ ଚାଲିଗଲେ । ମାଙ୍କ ଦେହାନ୍ତ ସମୟରେ ଦଶମ ପରୀକ୍ଷା ରହିଥିଲା କାମେଶଙ୍କ ମୁଣ୍ଡ ଉପରେ ।
ନାବାଳକ କାମେଶଙ୍କ ମୁଣ୍ଡରେ ପାହାଡ଼ ଛିଡିବା ଭଳି ଦୁଃଖ ମାଡ଼ି ଆସିଲା। ଫଳରେ ପାଠ ପଢ଼ାରେ ବ୍ୟାଘାତ ଘଟିଲା । ଏଭଳି ସ୍ଥିତିରେ ସମ୍ପର୍କୀୟ ମାମୁଁ ସମା କୃଷିକା ଏବଂ ମାଇଁ କୁଲି ମଜୁରୀ କରି କାମେଶଙ୍କ ପେଟକୁ ଦୁଇ ଓଳି ଦାନା ମୁଠାଏ ଯୋଗାଉଥିଲେ। ଅନାଥ କାମେଶ ଦୁଃଖ ସହ ଜୁଝୁଥିଲେ ବି ଦଶମ ପରୀକ୍ଷା ଦେଇ ପାସ ହୋଇଛନ୍ତି । କିନ୍ତୁ ଦଶମ ପାସ ହୋଇଥିଲେବି କାମେଶଙ୍କ ଅନାଥପଣ ସାଙ୍ଗକୁ ସମ୍ପର୍କୀୟ ମାମୁଁ ସମାଙ୍କ ଗରିବୀ କଲେଜ ପାଠ ପଢ଼ିବାକୁ ଅନ୍ଧାରକୁ ଟାଣି ନେଇଛି ।
ସେହିଭଳି ଅନ୍ୟ ଜଣେ ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟ୍ଟାରେ ରୁହନ୍ତି ଶିବମ ତିୱାରି । ସେ ଜଣେ ଜନ୍ମରୁ ଦିବ୍ୟାଙ୍ଗ । କଥା କହିପାରନ୍ତି ନାହିଁ କି ତାଙ୍କ କାନକୁ ଶୁଭେ ନାହିଁ । ତଥାପି ନିଜର ଦୃଢ ମନୋବଳ ଓ ଇଛାଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା ଓ ଆର୍ଥୀକ ଅନାଟନ । ଚଳିତ ବର୍ଷ ପ୍ରକାଶିତ ମାଟ୍ରିକ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ସେ ରଖି ସେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଆଗକୁ ଉଚ୍ଚ ଶିକ୍ଷା ପାଇଁ କଲେଜରେ ନାମ ଲେଖାଇ ପଢିବା ପାଇଁ ଇଛା ଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ । ବାପାଙ୍କ ମୃତ୍ୟୁ ପରେ ମାଆ କଷ୍ଟ କରି ଗୋଟିଏ ଛୋଟ ଲୁଗା ଦୋକାନରୁ ଯାହା ଉପାର୍ଜନ କରନ୍ତି ସେଥିରେ ଦୋକାନ ଓ ଘର ଭଡା ଦେଇ ଘର ଚଳାଇବା କଷ୍ଟକର । ସେଥିରେ ପୁଣି ବଡ ପୁଅ ଡିପ୍ଲୋମା ପଢ଼ୁଥିବା ବେଳେ ଏବେ ସାନ ପୁଅକୁ କଲେଜରେ ନାମ ଲେଖାଇବା ପାଇଁ ମାଆଙ୍କ ପକ୍ଷେ କଷ୍ଟକର ବୋଲି ଶିଭମ୍ଙ୍କ ମାଆ ଆରତୀ ତିୱାରୀ କହିଛନ୍ତି । ସେ କହିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବହୁ କଷ୍ଟରେ ଦିନ ରାତି ପରିଶ୍ରମ କରି ନିଜ ଘର ଚଳାଇବା ସହ ଦୁଇ ପୁଅଙ୍କୁ ପାଠ ପଢ଼ାଇ ଆସିଛନ୍ତି । ହେଲେ ଆଗକୁ ଆଉ ପିଲାଙ୍କୁ ପାଠ ପଢ଼ାଇବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ।
ଶିଭମ୍ଙ୍କର ଜିଦ୍ ଯେ ସିଏ ଆଗକୁ ପାଠ ପଢିବ ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସରକାର, ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଶିଭମ୍ଙ୍କ ମାଆ ଆରତୀ ନିବେଦନ କରିଛନ୍ତି । ଏଭଳି ଖବର ପାଇ ରାୟଗଡା ନାଗରିକ ମଞ୍ଚ, ଜିଲ୍ଲା ସାମ୍ବାଦିକ ସଙ୍ଘ ଓ ସକ୍ଷମ ଅନୁଷ୍ଠାନ ତରଫରୁ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ବାଦଲ ତାଙ୍କ ନେତୃତ୍ୱରେ ଶ୍ୟାମ ଦାଶ, ଯୁବ ସାମ୍ବାଦିକ ତପନ କୁମାର କାଡ୍ରାକା, ଯୁବ ସାମ୍ବାଦିକ କୈଳାସ ସ୍ୱାଇଁ, ଅଜୟ ରଥ ପ୍ରମୁଖ କାମେଶ କାଡ୍ରାକା ଏବଂ ଶିବମ ତିୱାରିଙ୍କ ସହ ସାକ୍ଷାତ କରି ପ୍ରତ୍ୟେକଙ୍କୁ ୧୦ ହଜାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ଉକ୍ତ ତିନୋଟି ଅନୁଷ୍ଠାନର ମିଳିତ ଉଦ୍ୟମରେ ଜିଲ୍ଲାରେ ରହିଥିବା ତିନୋଟି ଶିଳ୍ପ ଅନୁଷ୍ଠାନ ଏବଂ ସରକାରଙ୍କ ରହିଥିବା ସହାୟତା ପ୍ରଦାନ କରିବାକୁ ପ୍ରୟାସ ରହିବ ବୋଲି କହିଛନ୍ତି ଡ଼ଃ ବାଦଲ ତା ।