ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା ।
ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ଭାଇ ପ୍ରକାଶ ଲୁହାଙ୍କୁ ରଥପୁର ରାସ୍ତାରେ ଅଟକାଇ ବିଜେପି ନେତା ସାନନ୍ଦ ମେହେର, ବିନକା କୁଇବାହାଲର ନୀତିଶ ଷାଣ୍ଢ ଓ ୩/୪ ଜଣ ଅଜଣା ଯୁବକ ଜାତିଆଣ ଆକ୍ଷେପ କରି ବନ୍ଧୁକ ମୁନରେ ଆକ୍ରମଣ କରିବା ସହିତ ତାଙ୍କ ପାଖରୁ ଗୋଟିଏ ସୁନା ଚେନ୍ ଓ ୩୦୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ବୀରମହାରାଜପୁର ଥାନାରେ ହୋଇଥିଲା। କିନ୍ତୁ ଅଦ୍ୟାବଧି ଆକ୍ରମଣକାରୀ ସାନନ୍ଦ ମେହେର, ନୀତିଶ ଷାଣ୍ଢ ଓ ଅନ୍ୟ ଯୁବକ ମାନଙ୍କୁ ଗିରଫ କରାଯାଇ ନ ଥିବାରୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ଯାହାଫଳରେ ଆଜି ହଜାର ହଜାର ପୁରୁଷ ମହିଳା ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବୀରମହାରାଜପୁର ଥାନାରେ ପହଞ୍ଚିଥିଲେ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଆକ୍ରମଣକାରୀ ମାନଙ୍କୁ ଗିରଫ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ତଦନ୍ତକାରୀ ଅଧିକାରୀ ତଥା ବୀରମହାରାଜପୁର ଉପଖଣ୍ଡିୟ ପୁଲିସ ଅଧିକାରୀ ହେମନ୍ତ ରାଓ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।