ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୮/୦୮) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସିଙ୍ଗଶ୍ଵର ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାବାଳକ ଭାଇଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ନାବାଳିକାଙ୍କ ନାଁ ରୂପାଲି ବାରିକ (୧୦) । ତାଙ୍କ ଭାଇଙ୍କ ନାଁ ଆୟୁଷ ବାରିକ (୮)।
ଗତକାଲି ରାତିରେ ଗାଁର ଚକ୍ରଧର ବାରିକ, ତାଙ୍କ ସ୍ତ୍ରୀ, ଝିଅ ରୂପାଲି ଓ ପୁଅ ଆୟୁଷ ଖାଇପିଇ ଶୋଇଥିଲେ। ଚକ୍ରଧରଙ୍କ ସ୍ତ୍ରୀ ଓ ପିଲାମାନେ ତଳେ ଶୋଇଥିଲେ । ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ରୂପାଲି ଓ ଆୟୁଷଙ୍କୁ ସାପ କାମୁଡ଼ି ଥିଲା । ତେବେ ଶୋଇଥିବା ହେତୁ ସେମାନଙ୍କୁ ସାପ କାମୁଡ଼ିଥିବା ନେଇ କେହି ଜାଣି ପାରି ନଥିଲେ। ଭଲ ନ ଲାଗିବାରୁ ଭୋର ପ୍ରାୟ ୪ଟା ବେଳେ ରୂପାଲି ଉଠିଥିଲେ । ତାଙ୍କ ପେଟ କାଟୁଛି ବୋଲି କହିଥିଲେ ଓ ଉଷୁମ ପାଣି ପିଇବାକୁ ମାଗିଥିଲେ । ପାଟି ଭଲ ଲାଗୁନି କହି ବ୍ରଶ୍ ମଧ୍ୟ କରିଥିଲେ । ତା’ପରେ ବସିଥିବା ବେଳେ ହଠାତ୍ ତଳେ ପଡ଼ିଗଲେ । ସେତେବେଳେ ରୂପାଲିଙ୍କ ପରିବାର ଲୋକେ ତାଙ୍କ ହାତରେ ଏକ ଦାଗ ଦେଖି ସାପ କାମୁଡ଼ିଥିବା ସନ୍ଦେହ କରିଥିଲେ ।
ସେହିଭଳି ପୁଅ ଆୟୁଷଙ୍କୁ ମଧ୍ୟ ସାପ କାମୁଡ଼ି ଥିବା ସେମାନଙ୍କର ସନ୍ଦେହ ହୋଇଥିଲା । ତେଣୁ ତୁରନ୍ତ ସେମାନେ ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ସେଠାରେ କିଛି ଆନୁଷଙ୍ଗିକ ସୁବିଧା ନଥିବାରୁ ଡାକ୍ତର ଉଭୟଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଥିଲେ । ବ୍ରହ୍ମପୁରରେ ଯାଞ୍ଚ ବେଳେ ଉଭୟଙ୍କୁ ସାପ କାମୁଡ଼ିଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୂପାଲିଙ୍କର ମୃତ୍ୟୁ ଘଟିଥିଲା । ଆୟୁଷଙ୍କ ଅବସ୍ଥା ଗୁରୁତର ଅଛି । ତାଙ୍କୁ ଆଇସିୟୁରେ ରଖାଯାଇଛି । ରୂପାଲିଙ୍କ ମୃତ୍ୟୁ ପରେ ତାଙ୍କ ବାପାମା’ ତାଙ୍କ ଚକ୍ଷୁ ଦାନ କରିଛନ୍ତି ।