ବଲାଙ୍ଗୀର, (୨୭/୦୫) : ଆପ୍ର. : ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗାଁ’ରେ ଚାଲିଥିବା ଏକ ରାସ୍ତା ଗାଡଓ୍ବାଲ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିବାରୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେ ଠିକାଦାର ଗୁଣ୍ଡା ଲଗାଇ ନିସ୍ତୁକ ମାଡ ମାରିଥିଲେ ।
ଏଭଳିକି ବର୍ବରୋଚିତ ମାଡ ଘଟଣାର ଭିଡିଓ ଭାଇରାଲ କରିଥିଲେ । ଏହି ଘଟଣାର ୪ ଦିନ ପରେ ପୋଲିସ ଜଣେ ନାବାଳକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଠିକାଦାର ଫେରାର ଅଛନ୍ତି ଓ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ଅଭିଳାଷ ଜି କହିଛନ୍ତି । ସୂଚନା ଥାଉକି, ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଚାଲିଥିବା ଏକ ରାସ୍ତା ଗାଡ୍ଓ୍ବାଲ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିବାରୁ ଠିକାଦାର ଗୁଣ୍ଡା ଲଗାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ବଲାଙ୍ଗୀରର ସାମ୍ବାଦିକମାନେ ଶନିବାର ଏସଂକ୍ରାନ୍ତରେ ଏସ୍ପି ଅଫିସକୁ ଯାଇ ଦାବିପତ୍ର ଦେବା ସହ ସମ୍ପୃକ୍ତ ଠିକାଦାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।
ରବିବାର ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧି ଜଣକ ଗାଁକୁ ଯାଇ ରାସ୍ତାର ଭିଡିଓ ଉତ୍ତୋଳନ କରି ଲୋକଙ୍କ ପ୍ରତିକ୍ରିୟା ନେଉଥିବା ବେଳେ ସେହି ପ୍ରକଳ୍ପରେ କାମ କରୁଥିବା କିଛି ଲୋକ ଆସି ତାଙ୍କୁ ବାରଣ କରିଥିଲେ । ଏହା ପରେ ଠିକାଦାର ପଠାଇ ଥିବା ଗୁଣ୍ଡାମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏପରିକି ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ହାତବାନ୍ଧି ଘୋଷାଡ଼ି ଘୋଷାଡ଼ି ଗାଁ ମଝିକୁ ନେଇଥିଲେ । ସେଠାରେ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲେ ।
ଗାଆଁରେ କଙ୍ଗାରୁ କୋର୍ଟ କରି ସେମାନେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେଇ ଗୁଣ୍ଡାମାନେ ସ୍ଥାନୀୟ ମନ୍ଦିରକୁ ନେଇ ଆଗକୁ ଆଉ ଖବର ନ କରିବାକୁ ସାମ୍ବାଦିକଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଥିବା ଉଲ୍ଲେଖ କରାଯାଇଛି। ସେହି ଗୁଣ୍ଡାମାନେ ଖବରଦାତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବା ଧମକ ଦେଇଥିବା ପୁଇଁତଲା ଥାନାରେ ଅଭିଯୋଗ ହୋଇଛି। ଆଡିଶନାଲ ଏସ୍ପି ଆଲୋକ ଜେନା ଦାବିପତ୍ର ଗ୍ରହଣ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଜଣାଇଥିଲେ।