ପୁରୀ, (୦୬/୦୭) : ଆପ୍ର. : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ,ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲା ।
ଶ୍ରୀନହର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ପରେ ସିଂହଦ୍ଵାର ଅଭିମୁଖେ ଟଣାଯାଇଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରାତି ୯.୩୧ରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଲାଗିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ସିଂହ ଦ୍ୱାରେ ଲାଗିଲା ୩ ରଥ । ସରିଲା ବିଶ୍ୱନିୟନ୍ତାଙ୍କ ଆଡ଼ପମଣ୍ଡପ ଯାତ୍ରା । ବାହୁଡ଼ା ଯାତ୍ରାରେ ଭାଇଭଉଣୀଙ୍କ ସଙ୍ଗେ ଶ୍ରୀମନ୍ଦିର ଫେରିଛନ୍ତି କାଳିଆ ସାଆନ୍ତ । ବାହୁଡା଼ ଯାତ୍ରାରେ ଭକ୍ତଙ୍କ ଗହଳି ଚହଳିରେ ଫାଟି ପଡିଥିଲା ସମଗ୍ର ଶ୍ରୀକ୍ଷେତ୍ର । ଜନ ସମୁଦ୍ରରେ ପରିଣତ ହୋଇଥିଲା ବଡଦାଣ୍ଡ । ଜୟ ଜଗନ୍ନାଥ ଧ୍ୱନି ଓ ହରିବୋଲ ହୁଳହୁଳି ଯୋଗୁ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ରଥ ଗଡିବା ସମୟରେ ପୁଣି ଦେଖିବାକୁ ମିଳିଥିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଭକ୍ତି ଓ ସମର୍ପଣ ମନୋଭାବ ।
ଭକ୍ତି ରସରେ ଉଛୁଳି ପଡିଥିଲା ବଡଦାଣ୍ଡ। କେବଳ ସେତିକି ନୁହେଁ ବଡଦାଣ୍ଡରେ ଭକ୍ତଙ୍କୁ ଦେଖି ମହାପ୍ରଭୁଙ୍କ ଶ୍ରୀମୁଖ ହସୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ରଥାରୂଢ ଶ୍ରୀବିଗ୍ରହଙ୍କୁ ଚର୍ମଚକ୍ଷୁରେ ଦେଖି ନିଜ କୋହ ସହି ନ ପାରି ଆନନ୍ଦରେ କାନ୍ଦୁଥିଲା ଭକ୍ତ । ଭୋରରୁ ନୀତିକାନ୍ତି ଆରମ୍ଭ ହୋଇ ମଙ୍ଗଳାର୍ପଣ ପରେ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ସକାଳ ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିଲା ବାହୁଡା଼ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇଆସି ସୁଭଦ୍ରାଙ୍କ ରଥରେ ବିରାଜମାନ କରିବା ପରେ ତାଳଧ୍ୱଜ ରଥରେ ଶ୍ରୀବଳଭଦ୍ର, ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଓ ଶେଷରେ ନନ୍ଦିଘୋଷ ରଥରେ ଶ୍ରୀ ଜଗନ୍ନାଥ ଅଧିଷ୍ଠିତ ହୋଇଥିଲେ ।
ମଇଲମ ଓ ବେଶ ଶେଷ ହେବା ପରେ ଗଜପତି ମହାରାଜ ତିନି ରଥରେ ଛେରା ପହଁରା କରିଥିଲେ । ଧାର୍ଯ୍ୟ ସମୟର ପ୍ରାୟ ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଲକ୍ଷ୍ମୀ ନାରାୟଣ ଭେଟ ନୀତି ସରିବା ପରେ ନନ୍ଦିଘୋଷ ରଥଟଣା ହୋଇଥିଲା । ବାଟରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମାଆ ଦ୍ୱାରା ପ୍ରସ୍ତୁତ ହୋଇଥିବା ପୋଡ଼ପିଠା ଖାଇଥିଲେ ।
ରଥଯାତ୍ରା ଦିନ ବିଳମ୍ବରେ ମାତ୍ର କିଛି ହାତ ଗଡ଼ିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଏହାକୁ ଦୃଷ୍ଟିରେ ରଖି ଆଜି ସଅଳ ନୀତିକାନ୍ତି ଶେଷ ହେବା ସହ ରଥଟଣା ଆରମ୍ଭ ହୋଇଥିଲା। ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୋଲିସ ତରଫରୁ ବାହୁଡ଼ା ଯାତ୍ରାରେ ପୁରୀ ଜଗୁଛନ୍ତି ୨୦୫ପ୍ଲାଟୁନ୍ ଫୋର୍ସ । ରାପିଡ୍ ଆକ୍ସନ ଫୋର୍ସ, ସ୍ୱତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ ଦଳ, ସ୍ନିଫର କୁକୁର, ଆତଙ୍କବାଦ ବିରୋଧୀ ଦଳ, ତଟରକ୍ଷୀ ବାହିନୀ ଏବଂ ଏନଡିଆରଏଫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭିଡ଼ ଉପରେ ନଜର ରଖିବା ଏବଂ ଯେକୌଣସି ଅପ୍ରୀତିକର ଘଟଣା ରୋକିବାକୁ ସହର ସାରା ୨୭୫ରୁ ଅଧିକ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଆସନ୍ତାକାଲି ତିନିରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ହେବ। ଅପରାହ୍ନରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ସୁନାବେଶ ଦର୍ଶନ କରିପାରିବେ। ସୋମବାର ଅଧରପଣା ଓ ମଙ୍ଗଳବାର ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ। ମାନବୀୟ ଲୀଳାଖେଳା ସାରି ରତ୍ନବେଦୀକୁ ପୁଣି ଫେରିବେ ଜଗତ ଗୋସାଇଁ। ପ୍ରକାଶ ଯୋଗ୍ୟ, ଆଜି ଧାର୍ଯ୍ୟ ସମୟ ଠାରୁ ଆଗରୁ ନୀତିକାନ୍ତି ସରିବା ପରେ ଛେରାପହଁରା କରିଥିଲେ ଗଜପତି ମହାରାଜ । ଘଣ୍ଟାଏ ଆଗରୁ ଟଣାଯାଇଥିଲା ରଥ। ବଳଭଦ୍ରଙ୍କ ତାଳଧ୍ବଜ ସିଂହଦ୍ବାର ଆଗରେ ପହଞ୍ଚିଛି। ଦେବଦଳନ ଓ ନନ୍ଦିଘୋଷ ଅଧା ବାଟରେ ଅଟକିଛି । ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଥିଲା । ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ ୨୦୫ ପ୍ଲାଟୁନ ଫୋର୍ସ।