ଭଦ୍ରକ, (୧୮/୦୩) : ଆ.ପ୍ର. : ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ତ କାଉ ପୁର ଅଂଚଳରେ ।
ସୁନା ଦୋକାନ ବନ୍ଦ କରି ଦୋକାନୀ ଜଣଙ୍କ ଘରକୁ ସୁନା ଓ କିଛି ଟଙ୍କା ନେଇ ଫେରୁଥିବା ବେଳେ ଆକ୍ରମଣ କରି ବାଟରେ ଲୁଟ କଲେ ଦୁର୍ବୃତ୍ତ । କାଉପୁର ବଜାରରେ ସୁନା ଦୋକାନ କରିଥିବା ଅଜୟ ସାହୁ ନାମକ ଜଣେ ସୁନା ବ୍ୟବସାୟୀ ଆଜି ରାତି ପ୍ରାୟ ସାଢେ ୯ ଟା ଭିତରେ ଦୋକାନ ବନ୍ଦ କରି ମୋଟର ସାଇକେଲରେ ନିଜ ଘର ଅଗରପଡା ଥାନା ଅଧିନସ୍ତ ଚାରି ଗାଁକୁ ଫେରୁଥିଲେ ।
ଏହି ସମୟରେ ଦୁଇଟି ବାଇକରେ ଆସିଥିବା ୪ ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କ ବ୍ୟାଗରେ ଥିବା ସୁନା ଓ ଟଙ୍କା ଲୁଟି ନେଇଥିଲେ । ସ୍ଥାନୀୟ ଲୋକେ ଖବର ପାଇ ଅଜୟ ସାହୁଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ପଠାଇଛନ୍ତି । ତାଙ୍କ କାନ୍ଧରେ ଜୋରରେ ଆଘାତ ଲାଗିଛି । ତାଙ୍କ ଠାରୁ ପ୍ରାୟ ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।