ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୧୦/୦୨) : କଳାହାଣ୍ଡି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରାରେ ଘଟିଛି ଆଉ ଏକ ଅଘଟଣ ।
ରବିବାର ଦିନ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମର ଅଭିନାଶ ପରଜା (୨୧)ନିଜର ଜଣେ ସାଙ୍ଗ ଦିଲେଶ୍ୱର ଭତରା ସହ ଏକ ବାଇକରେ ଡୋକାରିଚଞ୍ଚରା ବୁଲିବାକୁ ଆସିଥିବା ବେଳେ ଡୋକରି ଜଳପ୍ରପାତ ଉପରୁ ମୋବାଇଲରେ ସେଲଫି ଉଠାଉ ଥିବା ବେଳେ ଅସାବଧାନତା କାରଣରୁ ଶିଉଳିରେ ଗୋଡ଼ ଖସି ଯିବାରୁ ଡୋକରୀ ଦର ଜଳପ୍ରପାତର ଗଭୀର ପାଣିରେ ବୁଡି ନିଖୋଜ ହୋଇ ଯାଇଥିବା ବେଳେ ଦୀର୍ଘ ସମୟ ଧରି ପାଣି ତାଙ୍କ ସାଙ୍ଗ ଓ ଅନ୍ୟମାନେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳିନାହିଁ ।
ଖବର ପାଇ କୋକସରା ଦମକଲ କର୍ମଚାରୀ ଓ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକର କୌଣସି ପତ୍ତା ମିଳିନାହିଁ। ଖବର ପାଇ ନିଖୋଜ ଯୁବକଙ୍କ ପରିବାର ଆମପାଣି ଥାନାରେ ପହଞ୍ଚିଥିବା ଆମପାଣି ଆଇଆଇସି ବିଜୟ ଲକ୍ଷ୍ମୀ ଏକୋକା ସୁଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଏହି ଜଳପ୍ରପାତରେ ଅନୁରୂପ ଭାବେ ସେଲ୍ଫି ନେବା ସମୟରେ ଅନେକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଜଳପ୍ରପାତରେ ବୁଡି ନିଖୋଜ ହେବାର ଅନେକ ସମୟ ପରେ ମୃତଦେହ ଠାବ ହୋଇଥିବା ନଜିର ରହିଛି।
ତେବେ ଏହି ପର୍ଯ୍ୟଟନ ସ୍ଥଳୀର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଏହି ଜଳପ୍ରପାତ ନିକଟକୁ ନଯିବା ପାଇଁ କୌଣସି ସତର୍କତା କିମ୍ବା ସୁରକ୍ଷା ସୂଚନା ବାର୍ତ୍ତା ନେଇ ପର୍ଯ୍ୟଟକକୁ ସଚେତନ କରାଯାଉନାହିଁ, ଫଳରେ ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ସନ୍ଧ୍ୟା ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଛି । ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ କରାଯିବା ନେଇ ଦମକଳ ଓଆଇସି ପ୍ରଶାନ୍ତ ବାଘ ସୂଚନା ଦେଇଛନ୍ତି। ଅନ୍ୟପଟେ ଏଭଳି ଘଟଣାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଜନ ସାଧାରଣଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷକର୍ମୀଙ୍କୁ ମୁତୟନ କରିବା ପାଇଁ ସାଧାରଣରେ ଦାବି ହେଉଛି।