ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୧) : ସ୍କୁଲ ସ୍ତରରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦। ଏହି ‘ଜାତୀୟ ଶିକ୍ଷାନୀତି’ ୨୦୨୪-୨୫ରୁ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ ।
ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଗଲା ନିଷ୍ପତ୍ତି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି ହେବା ନେଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସତର୍କତାର ସହିତ ବିଚାର କରିବା ପରେ, ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଜାତୀୟ ଶିକ୍ଷାନୀତି ୨୦୨୦ ମୁତାବକ ୩ ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟରେ ୧୦+୨ ସ୍କୁଲ ଶିକ୍ଷାକୁ ୫+୩+୩+୪ ବ୍ୟବସ୍ଥାରେ ଭାଗ କରାଯାଇଛି ।
ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା । ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାଁ ଲେଖାଉଥିଲେ। ନୂଆ ଶିକ୍ଷା ନୀତି ୫+୩+୩+୪ ଢାଞ୍ଚାରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ତାରୁ ଶିକ୍ଷାଗତ ମୂଳଦୂଆ ମଜଭୁତ କରିବାକୁ ପ୍ରୟାସ କରାଯାଇଛି । ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବିଭିନ୍ନ ସ୍ତରକୁ ନେଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହେବ। ପୂର୍ବରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ସ୍ତରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି।