ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୩୦/୧୦) : ୧୯୭୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।
ଏହି ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଯୋଦ୍ଧା ସୈନିକଙ୍କୁ ଆଜି ( ଅକ୍ଟୋବର ୩୦ ) ଅପରାହ୍ଣ ୪ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ବରସ୍ଥ ରାଜଭବନଠାରେ ସମ୍ବର୍ଦ୍ଧିତ କରାଯିବ । ଏହି ଉପଲକ୍ଷେ ଆଜି ଜିଲ୍ଲା କାର୍ଯ୍ୟାଳୟଠାରେ ପୂର୍ବାହ୍ଣ ୯ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ୧୨ ଜଣ ଅବସରପ୍ରାପ୍ତ ଯୋଦ୍ଧା ସୈନିକଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସ୍ବାଗତ କରି ସ୍ୱର୍ଣ୍ଣିମ ବିଜୟ ବର୍ଷ ସମାରୋହରେ ଯୋଗ ଦେବା ନିମନ୍ତେ ବସ ଯୋଗେ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ ।
ଦେଶ ପାଇଁ ଉତ୍ସର୍ଗୀକୃତ ସେବା କରି ଅନନ୍ୟ ବୀରତ୍ବର ପରାକାଷ୍ଠା ଦେଖାଇ ଭାରତବର୍ଷର ଗାରିମା ବୃଦ୍ଧି କରିଥିବାରୁ ସେମାନେ ଆମର ଗର୍ବ ଓ ଗୌରବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ଯାତ୍ରାର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର , ଆସିଷ୍ଟାଣ୍ଟ କଲେକ୍ଟର , ସମସ୍ତ ପଦାଧିକାରୀ ଉପସ୍ଥିତ ରହି ଯୋଦ୍ଧା ସୈନିକମାନଙ୍କୁ ବିଦାୟ ଜଣାଇଥିଲେ ।