ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୧୨) : ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଶୀନଗର ବି ଇ ଓ ଆଦିକନ୍ଦ ଗମାଙ୍ଗ ଓ ବାରାଣସୀ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ମାନୁ ନଥିବା ଅଭିଯୋଗ ହୋଇଛି l
ଉକ୍ତ ହାଇସ୍କୁଲର ସହକାରୀ ଶିକ୍ଷକ ସଦାନନ୍ଦ ନାୟକ କହିଛନ୍ତି ଯେ, ଚଳିତ ବର୍ଷ ଏପ୍ରିଲ ୫ ତାରିଖରେ ସେ ବିନାନୁମତିରେ କାର୍ଯ୍ୟରେ ଅନୁପସ୍ଥିତ ଥିବା ଦର୍ଶାଇ ପ୍ରଧାନ ଶିକ୍ଷକ ବି ଇ ଓଙ୍କୁ ଲିଖିତ ଜଣାଇଥିଲେ l କିନ୍ତୁ ସେଇ ତାରିଖରେ ହିଁ ପର ଦିନ ଅର୍ଥାତ ୬ ତାରିଖରେ ଥିବା ନିର୍ବାଚନ ସଂକ୍ରାନ୍ତୀୟ ତାଲିମ ନେବା ସକାଶେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ତାଙ୍କୁ ରିଲିଭ କରା ଯାଇଥିଲା l ତାଲିମ ସାରି ସେ ଯେତେବେଳେ ସ୍କୁଲକୁ ଆସି ଜଏନିଙ୍ଗ ରିପୋର୍ଟ ଦେଇଥିଲେ, ପ୍ରଧାନ ଶିକ୍ଷକ ତାକୁ ଗ୍ରହଣ କରି ନଥିଲେ l ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ କୌଣସି ସୁଫଳ ନପାଇବାରୁ ବାଧ୍ୟ ହୋଇ ଆଶ୍ରୟ ନେଇଥିଲେ ହାଇକୋର୍ଟଙ୍କର ଓ ତାଙ୍କ ଦ୍ୱାରା ଓକିଲଙ୍କ ଜରିଆରେ ଫାଇଲ କରା ଯାଇଥିବା ମକଦ୍ଦମା ଡବ୍ଲ୍ୟୁ ପି (ସି) ନଂ ୧୦୨୬୨ , ୨୦୨୪ର ଶୁଣାଣି ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ବେଞ୍ଚରେ ହେବା ପରେ ରାୟ ତାଙ୍କ ସପକ୍ଷରେ ଯାଇଥିଲା l
କୋର୍ଟ ତାଙ୍କ ଜଏନିଙ୍ଗ ରିପୋର୍ଟ ଗ୍ରହଣ କରିବା ସହ ବ୍ରେକ୍ ପିରିଅଡ୍ ରେଗୁଲାରାଇଜ୍ କରିବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତଦନୁଯାୟୀ ୮ ଅକ୍ଟୋବର ୨୦୨୪ରେ ଗଜପତି ଡି ଇ ଓ ତାଙ୍କ ୫୭୩୯ ପତ୍ରାଙ୍କ ସମ୍ବଳିତ ଚିଠିରେ କାଶୀନଗର ବି ଇ ଓଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବା ପାଇଁ ଜଣାଇବା ସହ ସତର୍କ କରାଇ ଦେଇଥିଲେ ଯେ, ଯଦି ଭବିଷ୍ୟତରେ କୌଣସି ଆଇନଗତ ଜଟିଳତା ସୃଷ୍ଟି ହୁଏ ତେବେ ବି ଇ ଓ ହିଁ ସେଥିସକାଶେ ଦାୟୀ ରହିବେ l
ଉକ୍ତ ପତ୍ରର ନକଲ ପିଟିସନର ଭାବେ ତାଙ୍କୁ ଓ ଗଜପତି ଜିଲ୍ଲାପାଳ, ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଡିସିନାଲ୍ ସେକ୍ରେଟାରୀଙ୍କୁ ବି ଦିଆ ଯାଇଥିଲା l କିନ୍ତୁ ଏଯାଏଁ ପ୍ରଶାସନ ପକ୍ଷରୁ ତାଙ୍କୁ ନ୍ୟାୟ ମିଳିନାହିଁ ଓ ମାସ ମାସ ଧରି ଦରମା ନପାଇ ସେ କିପରି ନିଜେ ଚଳୁଛନ୍ତି ଓ ପରିବାର ଚଳାଉଛନ୍ତି ତାହା ସେ ନିଜେ ହିଁ କେବଳ ଜାଣନ୍ତି ବୋଲି ନାୟକ କହିଛନ୍ତି l ତେବେ ଜିଲ୍ଲାପାଳ ତାଙ୍କୁ ଏ ସଙ୍କଟରୁ ବଂଚାଇବା ପାଇଁ ଅନୁକୂଳ ପଦକ୍ଷେପ ନେବେ – ଏ ଭରସା ତାଙ୍କର ରହିଛି ବୋଲି ବି ସେ ଜଣାଇଛନ୍ତି l