ରାୟଗଡା, (୦୮/୦୬) : ଆପ୍ର. : ମାତିଛନ୍ତି ହାତୀପଲ । ବଢ଼ି ଚାଲିଛି ଉପଦ୍ରବ । ଖାଦ୍ୟର ଘୋର ଅଭାବ ହାତୀଙ୍କୁ କରିଛି ବାଇଆ। ସେଥିପାଇଁ ଦିନକୁ ଦିନ ହାତୀପଲ ଗାଁ ମୁହାଁ ହେବାରେ ଲାଗିଛନ୍ତି ।
ଏପଟେ କ୍ଷତି ସହିବା ସହ ଜୀବନକୁ ବାଜିରେ ଲଗାଇ ଦିନ କାଟୁଛନ୍ତି ଗାଁ ଲୋକେ । ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ ଅନ୍ତର୍ଗତ ନିୟମଗିରି ପାହାଡରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଗତ ସାତଦିନ ହେବ ଚବିଶି ଟିକିଆ ହାତୀପଲ ଅଞ୍ଚଳରେ ଫସଲ ନଷ୍ଟ କରୁଛନ୍ତି । ଭାପତପୁର ଗାଁ ପଂଚାୟତର କୁମ୍ଭାରବାଡ଼ି ଗାଁର କିଛି ଦୂର କଟରିଗୁଡ଼ା ଗାଁ ଦୁଇ ଦିନରେ ଦୁଇ ପରିବାରକୁ ସର୍ବସ୍ବାନ୍ତ କରିଦେଇଛନ୍ତି । କାଟ୍ରିଗୁଡା ଗାଁର ତିନୋଟି ଘର ଭାଙ୍ଗି ଦେଇଥିବା ବେଳେ ଗତକାଲି ରାତିରେ ଲକି ପ୍ରାସ୍କା, ନାରୀଆ ହିକ୍କାଙ୍କ ପରିବାର ଲୋକ ହାତୀପଲର ଗର୍ଜନ ଶୁଣି ଘର ଛାଡ଼ି ଅନ୍ୟତ୍ର ଲୁଚି ଯାଇଥିଲେ । ଚାଳ ଛପର ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେବା ସହ ଘରେ ରହିଥିବା କଷ୍ଟ ଉପାର୍ଜୀତ ଧାନ, ଚାଉଳ, ମାଣ୍ଡିଆ,ଘରର ଆସବାବପତ୍ର ସୋଲାରଲାଇଟ ନଷ୍ଟ କରି ଦେଇଥିଲେ। କେବଳ ସେତିକି ନୁହେଁ, ମାଣ୍ଡିଆ ହାଣ୍ଡି ଭିତରେ ନାରାୟଣ ନଗଦ ୮୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ରଖିଥିଲେ । ତାକୁ ହାତୀପଲ ଖାଇଦେଇଥିବା ଜଣାପଡିଛି ।
ତେବେ ପ୍ରଥମ ଦିନ ନାରୀଆ ହିକ୍କାର ଘର ଭାଙ୍ଗି ଦେଇଥିଲେ ହାତୀ ପଲ। ଧାନ ମାଣ୍ଡିଆ ସହ ଘର ତିଆରି କରିବାକୁ ରଖିଥିବା ଟଙ୍କା ଖାଇଦେଇଥିଲେ । ହାତୀ ଗର୍ଜନ ଶୁଣି ଘରୁ ଚାଲିଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକେ । ସନ୍ଧ୍ୟା ହେଲେ ହାତୀ ଭୟ ଲାଗି ରହିଥିବା କୁହନ୍ତି ୱାର୍ଡ ସଭ୍ୟ। ତେବେ ଚବିଶିଟିକିଆ ହାତୀ ପାଲ ଅଞ୍ଚଳରେ ଗତ କିଛିଦିନ ହେବ ଚଳ ପ୍ରଚଳ କରୁଥିବା ସ୍ୱୀକାର କରିବା ସହ ବିଭାଗୀୟ ଅଧିକାରୀ ଅଞ୍ଚଳରେ ହାତୀଙ୍କୁ ଟ୍ରାକିଙ୍ଗ କରୁଥିବା କହିଛନ୍ତି ମୁନିଗୁଡା ରେଞ୍ଜର।