ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୯/୧) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଆଡିମାହା ପଂଚାୟତ ଅନ୍ତର୍ଗତ ସାକୁଶବାଲି ନିକଟ ବୁଡ଼ାଗୁଡା ରାସ୍ତା ଉପରେ ରାତି ପ୍ରାୟ ୯ଟା ସମୟରେ ଏକ ଚଳନ୍ତା କାର୍ ହଠାତ ହୁତୁ ହୁତୁ ହୋଇ ଜଳିଯାଇଛି ।
ଗାଡ଼ି ମଧ୍ୟରେ ବସିଥିବା ଦୁଇ ମହିଳା, ଏକ ଶିଶୁ ସମେତ ୬ ଜଣ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ରାତିରେ ମହାସିଙ୍ଗ ଗ୍ରାମର ଏକ ପରିବାର କୋଟଗଡ଼ ବ୍ଳକ୍ ସୁବର୍ଣ୍ଣଗିରି ନିକଟସ୍ଥ ଲୁଡୁ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରୁଥିବା ବେଳେ ଘରଠାରୁ ମାତ୍ର ୨ କିମି ଦୂର ସାକୁଶବାଲି ରାସ୍ତା ମଧ୍ୟରେ ତାଙ୍କ ଗାଡ଼ି ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧିରୁ ସମସ୍ତ ଯାତ୍ରୀ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ରକୁ ଫୋନ୍ କରା ଯାଇଥିଲା । ଦମକଳଗାଡ଼ି ପହଞ୍ଚିବା ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘଟଣାସ୍ଥଳରେ ପୁଲିସ ପାଟ୍ରୋଲିଂ ଗାଡ଼ି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ ବୋଲି ବାଲିଗୁଡା ଥାନାଧିକାରୀ କହିଛନ୍ତି ।