ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୯/୧୧) : ମୁରିବାହାଲ ଥାନା ଅଞ୍ଚଳରୁ ଦୁଇ ଦିନରେ ମୋଟ ୧୫ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ବୁଧବାର ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ୫ଜଣ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ଚାଲାଣ କରୁଥିବା ବରଗଡ଼ ଜିଲ୍ଲା ବୋଡ଼େନ ଥାନା ଜୟପୁର ଗ୍ରାମର ଦାଦନ ସର୍ଦ୍ଦାର ଲୋକନାଥ ମହାନନ୍ଦ (୨୮)ଙ୍କୁ ପୁଲିସ ଗିରଫ କରି କେଶ ନ ୩୫୬/୨୪ରେ କୋର୍ଟ ଚାଲାଣ କରିଥିଲା । ସେହିପରି ଗୁରୁବାର ରାତିରେ ଚଳକୀ ପଞ୍ଚାୟତ ଜଏଁତରା ଗ୍ରାମରୁ ଚାଲାଣ ହେଉଥିବା ୧୦ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଥିଲା। ଏହି ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଜଏଁତରା ଗ୍ରାମର ଦାଦନ ସର୍ଦ୍ଦାର ଶିବ ବାଗ(୩୮)ଙ୍କୁ ପୁଲିସ ଗିରଫ କରି କେସ ନ ୩୫୮/୨୪ରେ କୋର୍ଟ ଚାଲାଣ କରିଥିଲା ।
ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ଦୁଇ ଶିଶୁଙ୍କ ସମେତ ମୋଟ ଦଶଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ।ଉଦ୍ଧାର ଦାଦନ ଶ୍ରମିକଙ୍କୁ ତାଙ୍କ ଗ୍ରାମକୁ ପଠାଇ ଦିଆଯାଇଛି । ଉଭୟ ମାମଲାରେ ଗିରଫ ଦୁଇ ଦାଦନ ସର୍ଦ୍ଧାରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।